Categories: ଖେଳ

୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ: ଓଡ଼ିଶାର ସୁମିତ୍ରା ଭାରତୀୟ ଦଳ ଅଧିନାୟିକା

ଭୁବନେଶ୍ୱର, ୨୧।୮(କ୍ରୀଡ଼ା ପ୍ରତିନିଧି)-ଲାଓସର ଭେଣ୍ଟିଏନଠାରେ ଚଳିତମାସ ୨୪ ଓ ୨୫ ତାରିଖରେ ହେବାକୁଥିବା ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଓଡ଼ିଶାର ସୁମିତ୍ରା ନାୟକ ଭାରତୀୟ ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ସୁମତ୍ରାଙ୍କୁ ମିଶାଇ ମୋଟ ୫ ଓଡ଼ିଆ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୋନୀ ମନ୍ଦାଙ୍ଗୀ, ଲିଜା ସର୍ଦ୍ଦାର, ରଜନୀ ସବର ଓ ପାର୍ବତୀ କିସ୍କୁ।
ଭାରତୀୟ ଦଳର ଟ୍ରେନିଂ କ୍ୟାମ୍ପ ବର୍ତ୍ତମାନ ଭୁବନେଶ୍ୱରରେ ଚାଲିଛି। ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ୩ ସପ୍ତାହ ବିଶିଷ୍ଟ ଏହି କ୍ୟାମ୍ପ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ୟାମ୍ପ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ସହଯୋଗରେ ଚାଲିଛି। ପ୍ରତିଯୋଗିତାରେ ଏସିଆର ୫ଟି ଦେଶ ଥାଇଲାଣ୍ଡ, ସିଙ୍ଗାପୁର, ହଂକଂ, ଭାରତ ଓ ଆୟୋଜକ ଲାଓସ ଅଂଶଗ୍ରହଣ କରୁଛନ୍ତି। ”ଆମ ଜାତୀୟ ୨୦ ବର୍ଷରୁ କମ୍‌ ମହିଳା ରଗ୍‌ବୀ ଟିମ୍‌କୁ ସମର୍ଥନ ଯୋଗାଇ ଦେଇଥିବାରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, କିଟ୍‌ କିସ୍‌ ଏବଂ ସୋସିଏଟ ଜେନେରାଲ ନିକଟରେ ଆମେ ଚିର କୃତଜ୍ଞ। ନିକଟ ଅତୀତରେ ଆମ ଖେଳାଳିମାନେ ଟୁର୍ନାମେଣ୍ଟ ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛନ୍ତି। ଗତ ଟୁର୍ନାମେଣ୍ଟ ଗୁଡ଼ିକର ଫଳାଫଳରୁ ଆମ ଦଳ ଦିନକୁ ଦିନ ଉନ୍ନତି କରୁଥିବା ସ୍ପଷ୍ଟ ହୋଇଛି। ଚଳିତ ସପ୍ତାହ ଶେଷରେ ହେବାକୁଥିବା ଟୁର୍ନାମେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଯୁବ ଖେଳାଳିମାନେ ରଗ୍‌ବୀକୁ କ୍ୟାରିୟର କରୁଥିବା ବାଳିକାମାନଙ୍କ ପାଇଁ ରୋଲମଡେଲ“ ବୋଲି ରଗ୍‌ବୀ ଇଣ୍ଡିଆର ମହାଶଚିବ ମହେଶ ମାଥାଇ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ: ସୁମିତ୍ରା ନାୟକ(ଅଧିନାୟିକା), ସୋନି ମନ୍ଦାଙ୍ଗି, ଲିଜା ସର୍ଦ୍ଦାର, ରଜନୀ ସବର, ପାର୍ବତୀ କିସ୍କୁ(ସମସ୍ତେ ଓଡ଼ିଶା), ସନ୍ଧ୍ୟା ରାଏ, ଲାଚମି ଓରାଅନ, ସୁମନ ଓରାଅନ(ସମସ୍ତେ ପଶ୍ଚିମବଙ୍ଗ), ସ୍ବିଟି କୁମାରୀ( ବିହାର), ପ୍ରିୟା, ସୁଲତାନା, ଶିଖା ଯାଦବ(ସମସ୍ତେ ଦିଲ୍ଲୀ)। କୋଚ୍‌: ରେହମୁଦ୍ଦିନ ଶେଖ, ମ୍ୟାନେଜର: ଇଶ୍ୱରାଜ କୋଟାରିକି, ଫିଜିଓ: ଭାବିଜ୍‌ ଭାରିଚା (ସମସ୍ତେ ମହାରାଷ୍ଟ୍ର)।

Share