୨୦ ବର୍ଷରେ ଏଡ୍‌ସରେ ଗଲାଣି ୨୮୮ ଜୀବନ

ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍‌ସ ର ମୂଳୋତ୍ପାଟନ ହୋଇପାରୁନାହିଁ। ଏଡ୍‌ସ ନିୟନ୍ତ୍ରଣ ପାଇଁ କେବଳ ସଚେତନତା ହିଁ ବଡ଼ ଔଷଧ ହୋଇଥିବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତାର ଅଭାବ ଦେଖାଦେଇଛି। ଭଦ୍ରକ ଜିଲାରେ ଗତ ୨୦୦୩ଠାରୁ ଏପର୍ଯ୍ୟନ୍ତ ଅର୍ଥାତ୍‌ ୨୦ ବର୍ଷରେ ୬ ଲକ୍ଷ ୧୨ ହଜାର ୭୭୧ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ଏଡ୍‌ସରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୫୭ ଜଣ ଆକ୍ରାନ୍ତ ଅଛନ୍ତି। ଏହାବ୍ୟତୀତ ରାଜ୍ୟ ବାହାରେ କାର୍ଯ୍ୟରତ ଥିବା ଏବଂ ବେସରକାରୀ ଭାବେ ଚିକିତ୍ସିତ ହେଉଥିବା ସଂଖ୍ୟା ଜିଲା ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ। କେତେକ ଏଡ୍‌ସ ଆକ୍ରାନ୍ତ ଲୋକଲଜ୍ଜା ଭୟରେ ନିଜର ରୋଗକୁ ଲୁଚାଉଥିବାରୁ ଜିଲା ଏଡସ୍‌ ସେଲ ପାଖରେ ଏହାର ତଥ୍ୟ ରହିପାରୁନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭୬୦ ଜଣ ଆକ୍ରାନ୍ତ ଔଷଧ ସେବନ କରୁଛନ୍ତି। ଏହା ବାଦ୍‌ କେତେକ ଆକ୍ରାନ୍ତ ଅନ୍ୟ ଜିଲାରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୦ ବର୍ଷ ମଧ୍ୟରେ ଭଦ୍ରକ ସଦର ବ୍ଲକରେ ସର୍ବାଧିକ ୨୫୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବାସୁଦେବପୁର ବ୍ଲକରେ ୨୩୯, ଧାମନଗର ବ୍ଲକରେ ୧୪୩, ତିହିଡ଼ି ବ୍ଲକରେ ୧୨୫, ଚାନ୍ଦବାଲି ବ୍ଲକରେ ୯୮, ବନ୍ତରେ ୭୯, ଭଣ୍ଡାରିପୋଖରୀ ବ୍ଲକରେ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ଅନ୍ୟ ଜିଲାରୁ ୧୬୭ ଜଣ, ଗର୍ଭବତୀ ମହିଳା ୯୦ ଏବଂ ୯୧ ଜଣ ଶିଶୁ ଆକ୍ରାନ୍ତ ହୋଇ ଚିକିତ୍ସିିତ ହେଉଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର କହିଛନ୍ତି ଏଡ୍‌ସ ନିରାକରଣ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି। ଜିଲା ଏଡ୍‌ସ ସେଲ ପକ୍ଷରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଛି।