୨୦ ବର୍ଷ ଧରି ଗୋଦାମରେ ତାଲା

ଧାମନଗର, ୧୯।୮(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତାଫାପୁର ପଞ୍ଚାୟତ ଗୋଦାମରେ ଦୀର୍ଘ ୨୦ବର୍ଷ ଧରି ତାଲା ପଡ଼ିଛି। ଫଳରେ ଏହା କାମରେ ଆସୁନି। ପଞ୍ଚାୟତ ପାଇଁ ଆସୁଥିବା ସାମଗ୍ରୀକୁ ଭଡ଼ାଘରେ ଅସୁରକ୍ଷିତ ଭାବେ ରଖାଯାଉଛି। ପ୍ରଶାସନର ଏଭଳି ଅବହେଳା ନେଇ ଉକ୍ତ ପଞ୍ଚାୟତବାସୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଦୋବଲ ପଞ୍ଚାୟତ ଅଧୀନରେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଗୋଦାମ ତିଆରି ହୋଇ ବ୍ୟବହାର ହୋଇଆସୁଥିଲା। ସେତେବେଳେ ଇନ୍ଦିରା ଆବାସ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଆବଶ୍ୟକ ସିମେଣ୍ଟ ଯୋଗାଇ ଦିଆଯାଉଥିଲା। ୧୯୯୯ ମହାବାତ୍ୟା ପରେ ୨୦୦୦ ମସିହାରେ ଇନ୍ଦିରା ଆବାସ ଯୋଜନାରେ ସିମେଣ୍ଟ ଆସି ଏହି ଗୋଦାମରେ ଗଚ୍ଛିତ ରହିଥିଲା। ସେତେବେଳେ ଗଚ୍ଛିତ ସିମେଣ୍ଟ ହିତାଧିକାରୀଙ୍କୁ ଦିଆ ନ ଯାଇ ଗୋଦାମରେ ପଡ଼ି ରହିଥିଲା। ସେବେଠାରୁ ଏହି ଗୃହ ଖୋଲାଯାଉ ନାହିଁ। ପରବର୍ତ୍ତୀ ସମୟରେ ନିର୍ବାଚିତ ସରପଞ୍ଚ ମଧ୍ୟ ଏହାକୁ ଗୁରୁତ୍ୱ ଦେଲେ ନାହିଁ। ଗଚ୍ଛିତ ସିମେଣ୍ଟର ହିସାବ ନ ଥିବା ଓ ଏଥିରେ କିଛି ଘୋଟାଲା ବାହାରିବା ଭୟରେ କୌଣସି ସରପଞ୍ଚ ଗୋଦାମକୁ ସଫା କରି ନ ଥିବା କୁହାଯାଇଛି। ଫଳରେ ଗୋଦାମ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ଗଚ୍ଛିତ ସିମେଣ୍ଟ ମୁଣ୍ଡା ହୋଇ ଭିତରେ ବିଷାକ୍ତ ସାପ ମଧ୍ୟ ଦେଖିବାକୁ ମିଳୁଛି। ୨୦୧୭ରେ ଦୋବଲ ପଞ୍ଚାୟତକୁ ଭାଗ କରିଦିଆଯାଇ ଏଠାରେ ନୂତନ ମୁସ୍ତାଫାପୁର ପଞ୍ଚାୟତ କାର୍ଯ୍ୟାଳୟ କରାଯାଇଛି। କାର୍ଯ୍ୟରେ ଯୋଗଦେବା ପରେ ଗୋଦାମ ଗୃହର ଆବଶ୍ୟକତା ଦୃଷ୍ଟିରୁ ଏ ସମ୍ପର୍କରେ ସେ ଜିପିଓ ଏବଂ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ନିର୍ବାଚିତ ସରପଞ୍ଚ ବିଷ୍ଣୁଚରଣ ଦାସ କହିଛନ୍ତି। ଉକ୍ତ ଗୋଦାମ ଉପଜିଲାପାଳଙ୍କ ଉପସ୍ଥିତିରେ ସଫା କରାଯିବାର ନିୟମ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ପରେ ସେ ଜିଲା ପ୍ରଶାସନକୁ ଏ ନେଇ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦୁଇବର୍ଷ ଧରି ପଞ୍ଚାୟତକୁ ଆସୁଥିବା ସାମଗ୍ରୀକୁ ସ୍ଥାନୀୟ ବଜାରରେ ଭଡ଼ାଘର ନେଇ ରଖିବାକୁ ବାଧ୍ୟ ହେଉଥିବା ସରପଞ୍ଚ ଦାସ କହିଛନ୍ତି। ତୁରନ୍ତ ଉକ୍ତ ଗୋଦାମକୁ ସଫା କରାଯାଇ ବ୍ୟବହାର ଉପଯୋଗୀ କରା ନ ଗଲେ ସ୍ଥାନୀୟ ଲୋକଙ୍କ ସହିତ ସରପଞ୍ଚ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ଗୃହ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବାର ନିୟମ ରହିଛି। ତେବେ ଏ ସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।