୨୦ ବର୍ଷ ପରେ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲେ

ଅହମ୍ମଦାବାଦ: ଦୁର୍ଘଟଣାରେ ଜଣେ ପଙ୍ଗୁ ହୋଇଯିବା ପରେ ଦୀର୍ଘ ଦୁଇ ଦଶନ୍ଧି ପରେ କ୍ଷତିପୂରଣ ପାଇବା ଘଟଣା ଏବେ ସାମନାକୁ ଆସିଛି। ଗୁଜରାଟର ଅହମ୍ମଦାବାଦରେ ରହୁଥିବା ମନୀଷ ଖ୍ରୀଷ୍ଟି ଏକ ଦୁର୍ଘଟଣାରେ ପଙ୍ଗୁ ହୋଇଯିବା ପରେ କ୍ଷତିପୂରଣ ପାଇବାକୁ ମିର୍ଜାପୁର ଗ୍ରାମୀଣ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ ଏବଂ ଏଥିପାଇଁ ତାଙ୍କୁ ୨୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ଏବେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି। କୋର୍ଟ ଦୁଇ ବୀମା କମ୍ପାନୀକୁ କ୍ଷତିପୂରଣ ବାବଦ ୩୦.୪୬ ଲକ୍ଷଟଙ୍କା ସୁଧ ସହ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୯ ବର୍ଷ ବୟସରେ ମନୀଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମନୀଷ ଇଣ୍ଡିଆନ ଅଏଲ କର୍ପୋରେଶନ କମ୍ପାନୀର ଚାର୍ଜମ୍ୟାନ ଥିଲେ। ସେ ଏକ ବସ୍‌ରେ ଫେରୁଥିବାବେଳେ ନଭେମ୍ବର ୧୩, ୧୯୯୯ରେ ଅହମ୍ମଦାବାଦ- ସାନନ୍ଦ ରାଜପଥରେ ସେହି ବସ ସହ ଟ୍ରକର ମୁହଁାମୁହିଁ ଧକ୍କା ହେବା ପରେ ମନୀଷ ଗୁରୁତର ଆହତ ହୋଇଥିଲେ । ଚିକିସତ୍ା ପରେ ତାଙ୍କ ଅଣ୍ଟାଠାରୁ ଗୋଡ ପର୍ଯ୍ୟନ୍ତ କିଛି ବି କାମ କରି ନ ଥିଲା। ସେ ୯୦ ପ୍ରତିଶତ ବିକଳାଙ୍ଗ ହୋଇଗଲେ। ଦୁର୍ଘଟଣା ପରେ ଗାଡି ମାଲିକ ମନୀଷଙ୍କୁ କ୍ଷତିପୂରଣ ନ ଦେବାରୁ ୨୦୦୦ରେ ସେ କୋର୍ଟର ଆଶ୍ରୟ ନେଇଥିଲେ । ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ସେ ଦାବି କରିଥିଲେ। ମନୀଷଙ୍କ ବିକଳାଙ୍ଗତା ପାଇଁ ଉଭୟ ଗାଡି ମାଲିକଙ୍କୁ ଦାୟୀ କରି ତାଙ୍କ ବୀମା କମ୍ପାନୀକୁ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share