ମୁମ୍ବାଇ,୨୫ା୧୧: ଏନ୍ସିପି ବିଧାୟକ ଦଳ ନେତା ପଦରୁ ହଟିବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ରବିବାର ୨୦ ମିନିଟ୍ ମଧ୍ୟରେ ୨୦ଥର ଟୁଇଟ୍ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ମହାରାଷ୍ଟ୍ରରେ ସ୍ଥାୟୀ ସରକାର ପାଇଁ କାର୍ଯ୍ୟ କରିବେ ବୋଲି ଟୁଇଟ୍ ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ସକାଳେ ଏନ୍ସିପି ନେତା ଜୟନ୍ତ ପାଟିଲ ଓ ଦିଲୀପ ଓ୍ବାଲ୍ସେ ପାଟିଲ ତାଙ୍କ ପାଖକୁ ଯାଇ ନିଷ୍ପତ୍ତି ବଦଳାଇବା ଲାଗି ମନାଇବାକୁ ଉଦ୍ୟମ କରିଥିଲେ। ତେବେ ଅଜିତ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ସେ ଏନ୍ସିପିରେ ଅଛନ୍ତି ଏବଂ ଶରଦ ପାଓ୍ବାର ତାଙ୍କ ନେତା ବୋଲି ଅଜିତ କହିଛନ୍ତି।