୨୦ ଯାଏ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାରଦ ୩୯ରୁ ୪୧ ଡିଗ୍ରୀ ସେଲସିୟସ୍‌କୁ ଟପିଯାଇଛି। କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୪୦.୧, ଅନୁଗୋଳରେ ୪୦.୧, ମାଲକାନଗିରିରେ ୪୦.୨, ସୋନପୁରରେ ୪୦.୩ ଏବଂ ବୌଦ୍ଧରେ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ଥିବା ଯୋଗୁ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବାର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଅଳ୍ପ କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି।

Share