ଛତ୍ରପୁର,୨୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି। ଜିଲାର ୨୦ ହଜାର ଲୋକଙ୍କୁ କୋଭିଡ୍ -୧୯ କମ୍ୟୁନିଟି ତାଲିମ ଦିଆଯିବ ବୋଲି ଜିଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସଚେତନ ହୋଇ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି। ସେହିପରି ସମସ୍ତ କ୍ୱାରାଣ୍ଟାଇନ୍ ସେଣ୍ଟରଗୁଡ଼ିକରେ ଥିବା ଅନ୍ତେବାସୀଙ୍କୁ କରୋନା ମୁକାବିଲା ସମ୍ପର୍କିତ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। କ୍ୱାରାଣ୍ଟାଇନ୍ ଅବଧି ସରିବା ପରେ ଏମାନେ କରୋନା ମୁକାବିଲାରେ କାର୍ଯ୍ୟ କରିବେ ବୋଲି ଜିଲାପାଳ କହିଛନ୍ତି।