୨୧ରୁ ରମାଦେବୀରେ ଅନ୍ତର୍ଜାତୀୟ ସମ୍ମିଳନୀ: ଯୋଗଦେବେ ୯ ଦେଶରୁ ୨ଶହ ବିଶେଷଜ୍ଞ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ) – ଓଡ଼ିଶାର ବିକାଶ ପାଇଁ କୃତ୍ରିମ ମେଧା ତଥା ବୁଦ୍ଧିର ଆବଶ୍ୟକତା ରହିଛି। ବିଶେଷକରି ଯୁବବର୍ଗଙ୍କ ମନରେ ବିକାଶର ଧାରାକୁ ପ୍ରବାହିତ କରିବା ଏବେ ଏକ ଚ୍ୟାଲେଞ୍ଜ ହୋଇ ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ରୁ ୨୩ ତାରିଖ ଯାଏ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଚତୁର୍ଥ ଅନ୍ତର୍ଜାତୀୟ କୃତ୍ରିମ ମେଧା ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ଗବେଷଣା ବିଭାଗର କୁଳପତି ପ୍ରଫେଶର ପ୍ରଶାନ୍ତ ମହାପାତ୍ର, ମେଲବର୍ନ ବିଶ୍ୱବିଦ୍ୟାଳୟ କ୍ଲାଉଡ୍‌ସ ଲ୍ୟାବର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର ବୁଇୟା, ତାଇବାନ୍‌ ଜାତୀୟ ଡଙ୍ଗ୍‌ ଏଚ୍‌ଡବ୍ଲୁଏ ବିଶ୍ୱବିଦ୍ୟାଳୟ ପ୍ରଫେସର ସେଙ୍ଗ୍‌-ଲୁଙ୍ଗ୍‌ ପେଙ୍ଗ, କାନାଡାର କେୟାରଟନ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ଶିଖରେଶ ମଜୁମ୍‌ଦାର, ଆଇଆଇଟି ଖଡଗପୁରରୁ ପ୍ରଫେସର ସୁଦୀପ ମିଶ୍ର, ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଚନ୍ଦନ ବି. ସାମନ୍ତରାୟ, ଆଲାସ୍କା ଫେଆର୍‌ବ୍ୟାଙ୍କ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଦେବେନ୍ଦ୍ର କୁମାର ଦାସ, ଆଇଆଇଟି କାନପୁରରୁ ପ୍ରଫେସର ସୁବାସଚନ୍ଦ୍ର ମିଶ୍ରଙ୍କ ସମେତ ୯ଦେଶରୁ ପାଖାପାଖି ୨୦୦ଜଣ ବିଶେଷଜ୍ଞ ଯୋଗଦେବେ। ଖବରଦାତା ସମ୍ମିଳନୀରେ ଅଧ୍ୟାପକ ଡ. ମାନସ ବେହେରା, ସରିତା ସୁପକାର ଓ ବିଭୂଦେନ୍ଦୁ ପତି ସୂଚନା ଦେଇଥିଲେ।

Share