୨୧ରେ ପୂରିବ ବିକ୍ରମ ଆୟୁଷ

ହ୍ୟୁଷ୍ଟନ,୨୦-୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମର ଆୟୁଷ ଆଉ ମାତ୍ର ଦୁଇଦିନ ବାକି। ବିକ୍ରମ ସୂକ୍ଷ୍ମ ଅବତରଣ କରିବାରେ ବିଫଳ ହେବା ପରେ ଏହାସହ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ସମ୍ପର୍କ ପୁନଃ ସ୍ଥାପନ ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମଧ୍ୟ ଉଦ୍ୟମ କରାଯାଇଥିଲା, ଯାହାକି ବିଫଳ ହୋଇଛି। ତେବେ ଚନ୍ଦ୍ରର ଯେଉଁ ଅଞ୍ଚଳରେ ବିକ୍ରମ ହାର୍ଡଲ୍ୟାଣ୍ଡିଂ କରିଥିଲା ସେଠାର ଫଟୋ ନାସାର ମୁନ୍‌ ଅର୍ବିଟର ଉଠାଇଛି। ଲୁନାର ରିକୋନିସାନ୍ସ ଅର୍ବିଟର (ଏଲ୍‌ଆର୍‌ଓ) ମଙ୍ଗଳବାର ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଅବତରଣ କରିଥିବା ସ୍ଥାନର ଫଟୋ ଉଠାଇଛି। ସେହି ଫଟୋଗୁଡ଼ିକୁ ପ୍ରୋସେସିଂ କରାଯାଉଛି ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ୭ ରାତିରେ ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମାବତରଣ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା। ବିକ୍ରମର ଆୟୁଷ ହେଉଛି ୧୪ ଦିନ ଅର୍ଥାତ୍‌ ଆସନ୍ତା ୨୧ରେ ଶେଷ ହେବ। ପୃଥିବୀରେ ୧୪ ଦିନ ସମାନ ଚନ୍ଦ୍ରରେ ଦିନେ। ଏହି ଅବଧି ପୂରଣ ହେବା ପରେ ବିକ୍ରମ ପଡ଼ିରହିଥିବା ଅଞ୍ଚଳରେ ରାତି ହୋଇଯିବ। ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ସେଠାକାର ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଖସିଯିବ। ବିକ୍ରମକୁ ଏଭଳି ସ୍ଥିତିରେ କାମ କରିବା ଭଳି ଉପାୟରେ ବିକଶିତ କରାଯାଇ ନ ଥିବାରୁ ଏହାର ଉପକରଣଗୁଡ଼ିକ ସବୁଦିନ ପାଇଁ ଅକାମୀ ହୋଇଯିବ।

Share