୨୧୬ ଦିନରେ ୩ଶହ ଲୋକୋମୋଟିଭ ଇଞ୍ଜିନ ନିର୍ମାଣ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ) : ଟ୍ରେନ୍‌ ଇଞ୍ଜିନ ତିଆରି କରୁଥିବା ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବାର୍କସ (ସିଏଲ୍‌ଡବ୍ଲ୍ୟୁ) ଶନିବାର ଆଉଏକ ନୂଆ ରେକର୍ଡ଼ ସ୍ଥାପନ କରିଛି। ଚଳିତ ଆର୍ଥିକ ବର୍ଷରେ ସିଏଲ୍‌ଡବ୍ଲ୍ୟୁ ୨୧୬ ଦିନରେ ୩ଶହ ଲୋକୋମୋଟିଭ ଇଞ୍ଜିନ ତିଆରି କରିପାରିଛି। ଶେଷ ୧୦୦ଟି ଲୋକୋମୋଟିଭ ତିଆରି ଲାଗି ମାତ୍ର ୫୮ଦିନ ଲାଗିଥିଲା, ଯାହା ଏକ ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି। ୩ଶହ ତମ ଇଞ୍ଜିନକୁ ରେଳ ମହାପ୍ରବନ୍ଧକ ପ୍ରବୀଣ କୁମାର ମିଶ୍ର ସନ୍ଧ୍ୟାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବାର୍କସ ହେଉଛି ବିଶ୍ୱର ବଡ଼ ରେଳ ଇଞ୍ଜିନ ପ୍ରସ୍ତୁତକାରୀ କାରଖାନା। ୧୯୫୦ରେ ପଶ୍ଚିମବଙ୍ଗର ଆସନସୋଲଠାରେ ଏହି ଇଞ୍ଜିନ ତିଆରି କାରଖାନା ସ୍ଥାପନ ହୋଇଥିଲା। ଭାରତୀୟ ରେଳପଥରେ ପରିଚାଳନା କରାଯାଉଥିବା ପାଖାପାଖି ସମସ୍ତ ବିଦ୍ୟୁତ୍‌ ଚାଳିତ ଇଞ୍ଜିନ ଏଠାରେ ତିଆରି କରାଯାଇଥାଏ। ଗତ ୨୦୧୮-୧୯ ଆର୍ଥତ୍କ ବର୍ଷରେ ସିଏଲ୍‌ଡବ୍ଲ୍ୟୁ ୪୦୨ ଲୋକୋମୋଟିଭ ତିଆରି କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। କିନ୍ତୁ ୩ଶହ ଲୋକୋମୋଟିଭ ତିଆରି କରିବା ପାଇଁ ୨୪୯ ଦିନ ଓ ୨୦୧୭-୧୮ରେ ୨୯୨ ଦିନ ଲାଗିଥିଲା। ସୂଚନାଯୋଗ୍ୟ, ଭାରତୀୟ ରେଳପଥ ରେଳ ଡବା ଓ ଇଞ୍ଜିନ ତିଆରିରେ ନୂଆ ରେକର୍ଡ଼ କରିଚାଲିଛି। ଚେନ୍ନାଇସ୍ଥିତ ଆଇସିଏଫ(ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି) ଚଳିତବର୍ଷ ୨୧୫ କାର୍ଯ୍ୟ ଦିବସରେ ୩ ହଜାର ରେଳ କୋଚ୍‌ ତିଆରି କରି ନୂଆ ରେକର୍ଡ଼ କରିଛି। ଏହାକୁ ଆଉ ୪୦ ବନ୍ଦେ ଭାରତ ଏକ୍ସପ୍ରେସ ତିଆରି କରିବାକୁ କାର୍ଯ୍ୟଭାର ଦିଆଯାଇଛି।

Share