୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ ବି ସତର୍କତା ଦୃଷ୍ଟିରୁ ଏବେ କ୍ୱାରାଣ୍ଟାଇନ୍‌ ପିରିୟଡକୁ ୨୧ ଦିନ ବୃଦ୍ଧି କରାଯାଇଥିବା କୁହାଯାଏ। ଏହା ମଙ୍ଗଳବାରଠାରୁ ଲାଗୁ କରାଯିବ। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣର ଆଶଙ୍କା ଥିଲେ ଅତିକମ୍‌ରେ ୧୪ଦିନ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ ଭୂଟାନର ଏହି ପଦକ୍ଷେପକୁ ଅନେକ ସ୍ବାଗତ କରିଛନ୍ତି। ୨୧ ଦିନ କ୍ୱାରାଣ୍ଟାଇନରେ ରହିଲେ କରୋନା ଭୂତାଣୁ ଶୀଘ୍ର ସଂକ୍ରମଣ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱକୁ ଏକ ପ୍ରକାର ନିଜ କବଳକୁ ନେଇଥିବା ଏହି ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ସଂକ୍ରମଣରେ ପାଖାପାଖି ୩୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଛନ୍ତି। ଏହା ଆଗାମୀ ଦିନରେ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି।

Share