୨୧ ଦିନିଆ ଅନ୍‌ଲାଇନ୍‌ ପାଠପଢ଼ା କ୍ୟାମ୍ପ

ବାଲେଶ୍ୱର ଅଫିସ,୩୦।୩- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଆପାତତଃ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ବେଳେ ଘରେ ବସି ଦିନ ବିତାଉଥିବା ଛାତ୍ରୀଛାତ୍ରଙ୍କୁ ଶିକ୍ଷାରେ ମନୋନିବେଶ ପାଇଁ କଳାସଂସ୍କୃତି ଅନୁଷ୍ଠାନ ‘ନାଚ୍‌’ ପକ୍ଷରୁ ଅନ୍‌ଲାଇନ୍‌ ଜରିଆରେ ୨୧ ଦିନିଆ ଲକ୍‌ଡାଉନ୍‌ କ୍ୟାମ୍ପ ଆରମ୍ଭ ହୋଇଛି। ୩ରୁ ୧୫ ବର୍ଷର ପିଲାଙ୍କୁ ବିଭିନ୍ନ ଗ୍ରୁପ୍‌ କରାଯାଇ ହ୍ବାଟ୍‌ସ ଆପ୍‌ ଜରିଆରେ ଯୋଡ଼ାଯାଇଛି। ଅନଲାଇନ ଯୋଗେ ଗଳ୍ପ କଥନ, ଗୀତ ବୋଲିବା, ଖାଦ୍ୟ ପ୍ରସ୍ତୁତି, କାଗଜରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି, ଇନ୍‌ଡ଼ୋର ଖେଳ, ଗୁରୁଜନ ଓ ମାତାପିତାଙ୍କୁ ସମ୍ମାନ ପ୍ରଦର୍ଶନ ଆଦି ଏକାଧିକ ଦିଗ ଉପରେ ଶିକ୍ଷା ଦିଆଯାଉଛି।
ଲକ୍‌ଡାଉନ୍‌ ବେଳେ ପିଲାମାନେ ଘରେ ରହି କିପରି ଶିକ୍ଷାରେ ମନୋନିବେଶ କରିବେ ଓ ନିଜକୁ ପ୍ରସ୍ତୁତ କରିବେ ସେ ଦିଗରେ ହ୍ବାଟ୍‌ସ୍‌ ଆପ୍‌ ଜରିଆରେ ବିଭିନ୍ନ ଦିଗରେ ଶିକ୍ଷା ପ୍ରଦାନ କରାଯାଉଛି। ଅନୁଷ୍ଠାନ ପକ୍ଷରୁ ବାଲେଶ୍ୱର ସହ ବିଭିନ୍ନ ଜିଲାରୁ ଏହି ଗ୍ରୁପ୍‌ରେ ଏକାଧିକ ଛାତ୍ରୀଛାତ୍ର ଯୋଡ଼ି ହୋଇ ଶିକ୍ଷାରେ ନିଜକୁ ସାମିଲ କରିଥିବାରୁ ଅନୁଷ୍ଠାନର ପ୍ରମୁଖ ଉପଦେଷ୍ଟା ଅରୁଣାଂଶୁ ପାଣିଗ୍ରାହୀ, ନୃତ୍ୟଗୁରୁ ରୋଜାଲିନ ପଣ୍ଡା, କୋରିଓଗ୍ରାଫର ସେକ ରାଜା ଓ କୁନି ମାଷ୍ଟର ଅର୍ଚ୍ଚିତା ପାଣିଗ୍ରାହୀ ସନ୍ତୋଷ ପ୍ରକାଶ କରିଛନ୍ତି। ପିଲାଙ୍କୁ ଅଡିଓ ଏବଂ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ପ୍ରଦାନ କରାଯାଉଛି। ପରବର୍ତ୍ତୀ ସମୟରେ ଅନଲାଇନ ଜରିଆରେ ଅଧିକ ପ୍ରକାରର ଶିକ୍ଷାଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଏକ ଆଇଟି ଅନୁଷ୍ଠାନ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଯୋଗାଇବାରେ ସହଯୋଗ କରୁଥିବାରୁ ‘ନାଚ୍‌’ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି।