୨୧ ପରିବାରକୁ ମିଳିଛି ୧୦୦ଦିନର କାମ

ସୋନପୁର, ୨୨।୧୦(ନି.ପ୍ର.): ସୋନପୁର ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ) ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସଏପି)ର ଜନଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଗତ ସାଧାରଣ ନିର୍ବାଚନ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷର ଜନଶୁଣାଣି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇ ପାରି ନ ଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓସାଟ୍‌ ପକ୍ଷରୁ ବ୍ଲକ ପରିସରରେ ଆୟୋଜିତ ଏହି ଆପତ୍ତି ଅଭିଯୋଗ ଜନଶୁଣାଣି ଶିବିରରେ ଭାରପ୍ରାପ୍ତ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବ୍ଳକରେ ୧୫୬୪ଟି ପ୍ରକଳ୍ପ ନିଆଯାଇଥିବା ବେଳେ ୧୦୧୩ଟି ସମ୍ପୂର୍ଣ୍ଣ ହୋଇଛି। ଏ ବାବଦରେ ୪୮୭.୬୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଥିଲା। ସେହିପରି ଏମଜିଏନଆରଇଜିଏସରେ ୧୧୨୨୫ ପରିବାରକୁ କାମ ଦିଆଯାଇଥିବା ବେଳେ ୨୧ ପରିବାରକୁ ୧୦୦ଦିନର କାମ ମିଳିଛି। ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନି ନାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଏମ୍‌ଜିଏନଆରଇଜିଏସର କାର୍ଯ୍ୟକ୍ରମ ଅଧିକାରୀ ରବିନ୍ଦ୍ର କୁମାର ପଟେଲ, ସହକାରୀ ଯନ୍ତ୍ରୀ ଇଂ ଦୁଶାସନ ସାହୁ, ଜନଶୁଣାଣି କମିଟିର ସଭ୍ୟ ଗୋବିନ୍ଦ ମହାରଣା, ଗତିକୃଷ୍ଣ ମିଶ୍ର ଯୋଗ ଦେଇଥିଲେ । ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ରୁ ଊର୍ଦ୍ଧ୍ୱ ପରିବାରକୁ କିଭଳି ୧୦୦ ଦିନର କାମ ମିଳିବ ସେଥିପ୍ରତି ଦୃଷ୍ଟି ଦେବାକୁ ପିଡି ପଣ୍ଡା ଗୁରୁତ୍ୱାରୋପ କରିଥିଲେ।

Share