Categories: ଖେଳ

୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି: ସୁମନ ଦେବୀଙ୍କୁ ଭାରତୀୟ ଦଳର ନେତୃତ୍ୱ

ନୂଆଦିଲ୍ଲୀ, ୨୧।୫(ପି.ଟି.)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଥିବା ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ସୁମନ ଦେବୀ ଥୋଦମ୍‌ଙ୍କୁ ଭାରତୀୟ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବାବେଳେ ଗଗନଦୀପ କୌରଙ୍କୁ ଉପଅଧିନାୟିକା ନିଯୁକ୍ତ କରାଯାଇଛି। ଏହି ଦଳରେ ଓଡ଼ିଶାର ମାରିଆନା କୁଜୁର ଓ ଅଜମିନ କୁଜୁର ସ୍ଥାନ ପାଇଛନ୍ତି।

ଦଳ ପ୍ରଥମେ ଆୟର୍ଲାଣ୍ଡ ଗସ୍ତ କରି ସେଠାରେ ଘରୋଇ ଜାତୀୟ ଦଳ ଏବଂ ପରେ କାନାଡା ଜୁନିୟର ମହିଳା ଦଳ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଯଥାକ୍ରମେ ମେ ୨୮ ଓ ୨୯ରେ ଖେଳିବ। ଏହାପରେ ଭାରତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ। ଭାରତ ବ୍ୟତୀତ ଘରୋଇ ଆୟର୍ଲାଣ୍ଡ, କାନାଡା ଓ ସ୍କଟ୍‌ଲାଣ୍ଡ ମେ ୩୧ରୁ ଜୁନ ୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି। ଏହାପରେ ଭାରତୀୟ ଦଳ ଜୁନ ୬ରେ ଆୟର୍ଲାଣ୍ଡ ଦଳ ସହ ଆଉ ଏକ ମ୍ୟାଚ୍‌ ଖେଳିବ। ଏହାପରେ ଭାରତୀୟ ଜୁନିୟର ଦଳ ବେଲାରୁଷ ଗସ୍ତ କରି ସେଠାରେ ଜୁନ ୯ରୁ ୫ଟି ଦ୍ୱିପାକ୍ଷିକ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।
ଭାରତୀୟ ଦଳ: ବିଚୁ ଦେବୀ ଖାରିବାମ, ଖୁସ୍‌ବୁ (ଉଭୟ ଗୋଲକିପର), ସୁମନ ଦେବୀ ଥୋଦମ (ଅଧିନାୟିକା), ଇଶିକା ଚୌଧାରୀ, ପ୍ରିୟଙ୍କା, ମହିମା ଚୌଧାରୀ, ଗଗନଦୀପ କୌର (ଉପଅଧିନାୟିକା), ସିମରନ ସିଂ (ସମସ୍ତେ ଡିଫେଣ୍ଡର୍ସ), ପ୍ରୀତି, ମାରିଆନା କୁଜୁର, ଚେତନା, ଅଜମିନ କୁଜୁର, ବଲ୍‌ଜିତ୍‌ କୌର (ମିଡ୍‌ଫିଲ୍ଡର), ମୁମୁତାଜ ଖାନ, ବିୟୁଟି ଡୁଙ୍ଗ୍‌ଡୁଙ୍ଗ୍‌, ଶର୍ମିଳା ଦେବୀ, ରୀତା ଓ ଲାଲରିଣ୍ଡିକି (ସମସ୍ତେ ଫର୍‌ଓ୍ବାର୍ଡ)।

Share