Categories: ଫୁରସତ

୨୧ ବର୍ଷରେ ୧୯୬ଟି ଦେଶ ବୁଲି ରେକର୍ଡ କଲେ ଯୁବତୀ

ଆମେରିକାର ୨୧ ବର୍ଷୀୟା ଯୁବତୀ ଲେକ୍ସି ଅଲଫର୍ଡ଼ ୧୯୬ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି। ଲେକ୍ସିଙ୍କ ଏହି ଯାତ୍ରା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି। ଲେକ୍ସିଙ୍କ ମତରେ ଇଣ୍ଟରନେଟ୍‌ଠାରୁ ଦୂରରେ ଥିଲେ, ମାତ୍ର ସାରା ଦୁନିଆ ସହ ଯୋଡ଼ି ହୋଇଛନ୍ତି।

ପିଲାଟି ଦିନରୁ ତାଙ୍କର ଏହି ଇଚ୍ଛା ଥିଲା। ଯାହା ଆଜି ସେ ପୂରଣ କରିଥିବା କହିଛନ୍ତି। ତାଙ୍କ ପରିବାରର କାର୍ଲିଫର୍ଣ୍ଣିଆରେ ଏକ ଟ୍ରାଭେଲ ଏଜେନ୍ସି ଥିଲା। ତାଙ୍କ ମାତା-ପିତା ତାଙ୍କୁ ପ୍ରତି ସପ୍ତାହରେ କୌଣସି ସ୍ଥାନକୁ ପଢ଼ିବା ପାଇଁ ପଠାଇ ଦେଉଥିଲେ।

ଲେକ୍ସି କୁହନ୍ତି, ଯେତେବେଳେ ବୟସ ବଢ଼ିଲା ମାତାପିତା ତାଙ୍କୁ କମ୍ବୋଡିଆ, ଦୁବାଇ, ଆର୍ଜେଣ୍ଟିନା, ମିଶର ଆଦି ଦେଶ ବୁଲାଇ ନେଇଥିଲେ। ଏହା ପରଠାରୁ ବିଭିନ୍ନ ଦେଶ ବୁଲି ସେଠାକାର ଲୋକଙ୍କ ଚଳଣି, ପରମ୍ପରା, ଖାଦ୍ୟପେୟ ସମ୍ପର୍କରେ ଜାଣିବାକୁ ତାଙ୍କର ଆଗ୍ରହ ହେଲା। ୨୦୧୬ ମସିହାରେ ଲେକ୍ସି ପ୍ରଥମେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ ସେ ୭୨ଟି ଦେଶ ବୁଲି ସାରିଥିଲେ। ମାଟ୍ରିକ ପାସ କରିବା ପରେ ସେ ଏହି ଚେଷ୍ଟା ଜାରି ରଖିଥିଲେ।

ଯେତେବେଳେ କଲେଜରେ ଆସୋସିଏଟ୍‌ ଡିଗ୍ରୀ କରୁଥିଲେ ସେତେବେଳେ ଯାତ୍ରାକୁ ଆଉ ଟିକେ ଆଗକୁ ବଢ଼ାଇଥିଲେ। ଏହି ଯାତ୍ରା କରିବାକୁ ବହୁ ଅର୍ଥର ଆବଶ୍ୟକ ପଡ଼ିଥିଲା। ତେଣୁ ପିଲାଟି ଦିନରୁ ସଞ୍ଚୟ କରି ରଖିଥିବା ଟଙ୍କାରେ ପ୍ରଥମେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସବୁ ଦେଶ ବିଷୟରେ ଜାଣିବା ସହ ସେଠାକାର ଶସ୍ତା ହୋଟେଲ ବିଷୟରେ ଜାଣିଲେ।

ଲେକ୍ସି କୁହନ୍ତି, ପାକିସ୍ତାନ ଏବଂ ଭେନ୍‌ଜୁଏଲାର ପ୍ରାକୃତିକ ଦୃଶ୍ୟ ଖୁବ୍‌ ମନୋରମ। ପଶ୍ଚିମ ଏବଂ ମଧ୍ୟ ଆଫ୍ରିକା ପାଇଁ ଭିଜା ବାହାର କରିଥିଲେ। କେତେକ ଦେଶରେ ତାଙ୍କୁ ଭାଷାଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସବୁ ପରେ ବି ତାଙ୍କୁ ଏହି ସଫଳତା ମିଳିଥିବାରୁ ବହୁତ ଖୁସି ବୋଲି ଲେକ୍ସି ଏକ ସାକ୍ଷାତକାରରେ କହିଛନ୍ତି।

Share