Categories: ଜାତୀୟ

୨୧ ବର୍ଷ ପରେ କଂଗ୍ରେସକୁ ମିିଳିବ ଅଣଗାନ୍ଧୀ ଅଧ୍ୟକ୍ଷ: ସିନ୍ଧେ, ଖାର୍ଗେଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ,୪ା୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ କିମ୍ବା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କଂଗ୍ରେସ ଏହାର ନୂଆ ଅଧ୍ୟକ୍ଷ ଚୟନ କରିପାରେ ବୋଲି ଆଲୋଚନା ହେଉଛି। ପି.ଭି. ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କ ପରେ ତୃତୀୟ ଥର ଲାଗି କଂଗ୍ରେସର ନେତୃତ୍ୱ ଗାନ୍ଧୀ-ନେହେରୁ ପରିବାର ବାହାର ବ୍ୟକ୍ତିଙ୍କ ହାତକୁ ଯାଉଛି। ତେବେ ଚୂଡାନ୍ତ ନିଷ୍ପତ୍ତି ରାହୁଲ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନେବେ ବୋଲି ଜଣାପଡିଛି।
୭୭ ବର୍ଷୀୟ ସିନ୍ଧେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ପୂର୍ବରୁ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ୨୦୦୨ ଉପରାଷ୍ଟ୍ରପତି ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ଥିଲେ। ମହାରାଷ୍ଟ୍ରରେ ଆଗକୁ ବିଧାନସଭା ନିର୍ବାଚନ ରହିଛି। ସିନ୍ଧେ ଦଳିତମାନଙ୍କ ପ୍ରିୟ ନେତା ହୋଇଥିବାବେଳେ ଗାନ୍ଧୀ ପରିବାରର ତାଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି। ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। ଗତ ଥର ଲୋକ ସଭାରେ କଂଗ୍ରେସ ନେତା ଥିବା ୭୬ ବର୍ଷୀୟ ମଲ୍ଲିକାର୍ଜୁନ ଖାର୍ଗେ ସରକାରଙ୍କୁ ମୁକାବିଲା କରିବାରେ ବିରୋଧୀ ଦଳର ନେତୃତ୍ୱ ନେଇଥିଲେ। ପୂର୍ବରୁ ସେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ଥିଲେ। ସପ୍ତାହକ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ଚୟନ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି। ଦୀର୍ଘ ମାସେ ବ୍ୟାପୀ ରାହୁଲଙ୍କ ଇସ୍ତଫାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ବୁଧବାର ଅବସାନ ଘଟିଛି। ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବା ସହ ଇସ୍ତଫା ପତ୍ରକୁ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ଏହା କଂଗ୍ରେସର ନୂଆ ଡ୍ରାମା ବୋଲି ଭାଜପା କହିଛି। ରାହୁଲ ଇସ୍ତଫା ଦେଇଥିବାରୁ ସର୍ବପୁରାତନ ଦଳରେ ଏକ ନୂଆ ଯୁଗ ଆରମ୍ଭ ହେବ ଏବଂ ଦଳ ପୁନର୍ଗଠନ ଲାଗି ସୁଯୋଗ ମିଳିବ ବୋଲି ଭାଜପା ସହଯୋଗୀ ଶିବସେନା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲହର ରାହୁଲଙ୍କୁ ଉପାଡି ଦେଇଛି। ମୋଦିଙ୍କ ଶାସନ କାଳରେ କଂଗ୍ରେସ ଗାନ୍ଧୀ ପରିବାର ମୁକ୍ତ ହୋଇଛି ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ରାହୁଲ ଭବିଷ୍ୟତରେ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ହୋଇପାରିବେ ବୋଲି ଏନ୍‌ସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି।

Share