୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ମହିଳା ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): କେତେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାଙ୍କଠାରୁ ୨୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ମହିଳାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ସାଲିଆ ସାହି ନୀଳକଣ୍ଠ ବସ୍ତି ଅଞ୍ଚଳରେ ରହୁଥିବା କନ୍ଧମାଳ ଜିଲାର ଅଞ୍ଜନା ମହାକୁଡ। ଅଞ୍ଜନା ମଧ୍ୟ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଛନ୍ତି। ସ୍ବାମୀ ଓ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କହି ୬ଜଣଙ୍କଠାରୁ ଉକ୍ତ ଟଙ୍କା ନେଇ ତାହାକୁ ଆଉ ପରିଶୋଧ କରି ନ ଥିଲେ। ଏପରି କି ଫୋନ୍‌ ନମ୍ବର ବଦଳାଇ ଆଉ ଧରାଛୁଆଁ ଦେଇ ନ ଥିଲେ। ଚନ୍ଦ୍ରଶେଖରପୁର ଥାନା ଏମ୍‌ଆଇଜି କଲୋନୀରେ ରହୁଥିବା ସାବିତ୍ରୀ ସାମନ୍ତରାୟଙ୍କଠାରୁ ଅଞ୍ଜନା ୩ ଲକ୍ଷ ଟଙ୍କା ଧାର ନେଇ ଆଉ ଫେରାଇ ନ ଥିଲେ। ଶନିବାର ଟଙ୍କା ଦେଇଥିବା ମହିଳାମାନେ ଏକାଠି ହେବା ସହ ସାବିତ୍ରୀ ସାମନ୍ତରାୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୩୬୨/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗିରଫ ଅଞ୍ଜନାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

Share