ଓ୍ବାଶିଂଟନ,୭।୧୨: ଭାରତ ଏବେ ସୁପର ପାଓ୍ବାର ହେବାକୁ ଯାଉଛି। ୨୧ ଶତାବ୍ଦୀରେ ଭାରତ ପାଇଁ ଏହି ସୁଯୋଗ ଆସିବ ବୋଲି ଆମେରିକାରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଳା ସୂଚନା ଦେଇଛନ୍ତି। ନୂଆ ନିବେଶ ଯୋଜନା ଦ୍ୱାରା ଭାରତ ସାରା ଦୁନିଆ ସହିତ ସଂଯୁକ୍ତ ହେବାର ଆଶା ରହିଛି। ୨୦୩୦ ବେଳକୁ ଭାରତର ପ୍ରତି ଦ୍ୱିତୀୟ ପରିବାର ମଧ୍ୟବିତ୍ତ ବର୍ଗରେ ସାମିଲ୍ ହୋଇ ସାରିଥିବ ବୋଲି ହାବାର୍ଡ କେନେଡ଼ି ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶୃଙ୍ଗଳା ଏଭଳି କହିଛନ୍ତି। ୧୯୯୦ ପରଠାରୁ ଭାରତ ସରକାରଙ୍କ ଦୂରଦର୍ଶୀ ଯୋଜନା ଦ୍ୱାରା ଦେଶରେ ଗରିବଙ୍କ ସଂଖ୍ୟା କମିବାରେ ଲାଗିଛି। ଭାରତ ସରକାର ଲୋକଙ୍କ ମଧ୍ୟରେ ରହିଥିବା ଆର୍ଥିକ ଅସମାନତା ଦୂର ଲାଗି ବିଭିନ୍ନ ପ୍ରୟାସ କରୁଥିବା ସେ କହିଛନ୍ତି। ଯୋଜନା ବଦ୍ଧ ଭାବେ ଭାରତ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହା ଖୁବ୍ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବ। ଏହା ସହିତ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ମାନ୍ୟତା ହାସଲ କରିବାକୁ ଭାରତକୁ ଆଉ ଅଧିକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
Posted inଅନ୍ତର୍ଜାତୀୟ