Categories: ଜାତୀୟ

୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ ପାରେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କୁହାଯାଇଛି ଯେ, ଏତେ ଶୀଘ୍ର ଫାଶୀ ଦେବା ଅସମ୍ଭବ। ଦିଲ୍ଲୀ ସରକାରଙ୍କ ଆଇନଜୀବୀ କହିଛନ୍ତି ଯୁକ୍ତି ଦର୍ଶାଇଛନ୍ତି ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିବା ରାଜକ୍ଷମା ଖାରଜ ହେବାର ୧୪ ଦିନ ପରେ ଦୋଷୀଙ୍କୁ ଫାଶୀ ଦିଆଯିବ। ଏହି ସମୟ ମଧ୍ୟରେ ଦୋଷୀ ନିଜ ପରିବାର ବର୍ଗଙ୍କୁ ସାକ୍ଷାତ୍‌ କରିପାରିବେ। ସୂଚନାଯୋଗ୍ୟ, ମଙ୍ଗଳବାର ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଦାଖଲ କରିଥିଲେ। ଏହା ସହିତ ଦିଲ୍ଲୀ ହାଇକୋର୍ଟରେ ରାଜକ୍ଷମା ପାଇଁ ଆବେଦନ ଦାଖଲ କରାଯାଇଥିବା ଦର୍ଶାଇ ମୃତ୍ୟୁ ଓ୍ବାରେଣ୍ଟ ଉପରେ ରୋକୋ ଲଗାଇବା ଲାଗି ଆବେଦନ କରିଥିଲେ। ବୁଧବାର ହାଇକୋର୍ଟରେ ମୁକେଶଙ୍କ ଆଇନଜୀବୀ ନିଜ ପକ୍ଷ ରଖିଥିଲେ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ସରକାରଙ୍କ ଆଇନଜୀବୀଙ୍କ ମତାମତ ଲୋଡ଼ାଯାଇଥିଲା। ସରକାରୀ ଆଇନଜୀବୀ ସୂଚିତ କରିଥିଲେ ଯେ, ସୁପ୍ରିମ୍‌କୋର୍ଟ ରାୟକୁ ପାଳନ କରାଯିବ। ତେବେ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରାଯାଇଥିବା ରାଜକ୍ଷମା ଖାରଜ ହେବାର ୧୪ ଦିନ ପରେ ହିଁ ଫାଶୀ ଦିଆଯିବ। ତେଣୁ ଜାନୁୟାରୀ ୨୨ରେ ଫାଶୀ ଦେବା ଲାଗି ଜାରି ହୋଇଥିବା ମୃତ୍ୟୁ ଓ୍ବାରେଣ୍ଟ୍‌ ଅନୁସାରେ ଧାର୍ଯ୍ୟ ଦିନ ଏଭଳି ହୋଇ ପାରିବ ନାହିଁ। ହାଇକୋର୍ଟ କହିଛନ୍ତି ଯେ, ମୃତ୍ୟୁ ଓ୍ବାରେଣ୍ଟ ଜାରି କରିଥିବା ନିମ୍ନ ଅଦାଲତଙ୍କ ରାୟରେ କୌଣସି ଭୁଲ୍‌ ନାହିଁ। ତେଣୁ ଏଥିରେ ରୋକୋ ଲଗାଯାଇ ପାରିବ ନାହିଁ।।

Share