ହଜ୍‌ଯାତ୍ରା ଉପରେ ସଙ୍କଟ

ନୂଆଦିଲ୍ଲୀ/ମକ୍କା, ୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଲାଗି ବହୁ ଦେଶରେ ଧାର୍ମିକସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ଚଳିତ ବର୍ଷ ମକ୍କା-ମଦିନାକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଜାରି କରାଯାଇଛି। ଫଳରେ ହଜ୍‌ଯାତ୍ରା ଉପରେ ଦୀର୍ଘ ୨୨୨ ବର୍ଷ ପରେ ପୁଣିଥରେ ସଙ୍କଟ ଦେଖାଦେଇଛି। ପୂର୍ବରୁ ୧୭୯୮ରେ ହଜ୍‌ଯାତ୍ରାକୁ ରଦ୍ଦ କରାଯାଇଥିଲା। ୧୯୧୮ରେ ଫ୍ଲୁ ସମୟରେ ହଜ୍‌ ଯାତ୍ରାକୁ ବନ୍ଦ କରାଯାଇ ନ ଥିଲା। ତେବେ ଏବେ କରୋନା ସଙ୍କଟ ଯୋଗୁ ଏଭଳି ହେବାର ସମ୍ଭାବନା ରହିଥିବା କୁହାଯାଉଛି। ଭାରତୀୟ ହଜ୍‌ କମିଟି ପକ୍ଷରୁ ଯାତ୍ରା ବାତିଲ୍‌ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଇଛି। ହଜ୍‌ ଯାତ୍ରା ନେଇ ସୌଦି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବା ହଜ୍‌ କମିଟି କହିଛି। ଇତିମଧ୍ୟରେ ସୌଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୭୦୦ ରହିଛି। ସେହିପରୀ ମୃତ୍ୟୁ ସଂଖ୍ୟା ୬୪୨ ଛୁଇଁଛି। କରୋନା ସଂକ୍ରମଣ ଯୋଗୁ ସୌଦି ସରକାର ୨୦୨୦ ଫେବୃୟାରୀ ୨୭ରେ ଉମ୍‌ରା ଉପରେ କଟକଣା ଜାରି କରିଥିଲେ। ଏହାପରେ ମାର୍ଚ୍ଚରେ ହଜ୍‌ ଯାତ୍ରା ପ୍ରସ୍ତୁତି ଉପରେ ଅସ୍ଥାୟୀ ରୋକ ଲଗାଯାଇଥିବା ସୌଦି ସରକାର କହିଥିଲେ। ମକ୍କା-ମଦିନାକୁ କୌଣସି ଶ୍ରଦ୍ଧାଳୁ ଉମ୍‌ରା ପାଇଁ ଆସିପାରିବେ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଥିଲା। ଏପରି ହେଲେ ସୌଦିର କୋଟି କୋଟି ଟଙ୍କା କ୍ଷତି ହେବ। ଗତ ବର୍ଷ ପ୍ରାୟ ୨୦ ଲକ୍ଷ ଶ୍ରଦ୍ଧାଳୁ ପୃଥିବୀର ବିନ୍ନ ଅଞ୍ଚଳରୁ ହଜ୍‌ ପାଇଁ ସୌଦି ଆସିଥିଲେ। ଏହା ଯୋଗୁ ସୌଦି ସରକାରଙ୍କର ୯୨ ହଜାର କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା। କିନ୍ତୁ ଏବେ ହଜ୍‌ ଯାତ୍ରା ବନ୍ଦ ହେଲେ ସୌଦି ସରକାର କ୍ଷତି ସହିବେ ବୋଲି କୁହାଯାଉଛି। ମହାମାରୀ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ କମିଥିବାବେଳେ ଏବେ ହଜ୍‌ ଯାତ୍ରା ଉପରେ ଲାଗି ରହିଥିବା ସଙ୍କଟ ସୌଦି ସରକାରଙ୍କ ଚିନ୍ତା ବଢ଼ାଇଛି।

Share