୨୨୫ ଟଙ୍କାରେ ମାତ୍ର ୧୫ ମିନିଟରେ ହୋଇପାରିବ କରୋନା ଚିହ୍ନଟ !

ଢାକା,୩୦।୩:

ସାରା ପୃଥିବୀରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତି ଦେଶର ବୈଜ୍ଞାନିକ କରୋନାକୁ ରୋକିବା ଲାଗି ଔଷଧ ତଥା ଯାଞ୍ଚ୍‌ କିଟ୍‌ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଏପରିସ୍ଥଳେ ବାଂଲାଦେଶ। ଏକ ନୂଆ କରୋନା ଯାଞ୍ଚ୍‌ କିଟ୍‌ ତିଆରି କରିଥିବା ଦାବି କରିଛି। ଏହାଦ୍ୱାରା କେବଳ ୨୨୫ ଟଙ୍କା ଖର୍ଚ୍ଚ କରି ୧୫ ମିନିଟ ମଧ୍ୟରେ ନମୁନା ପଜିଟିଭ୍‌ ଅବା ନେଗେଟିଭ୍‌ ତାହା ଜଣାପଡ଼ିବ ବୋଲି କୁହାଯାଉଛି। ଇତିମଧ୍ୟରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଏହି କିଟ୍‌ ଉତ୍ପାଦନ କରିବା ଲାଗି ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। ଏହି କିଟ୍‌ କରୋନା ଭୂତାଣୁ ସହିତ ଲଢୁଥିବା ଶରୀରର ଶ୍ୱେତ ରକ୍ତ କୋଷିକାର ସ୍ଥିତି ଯାଞ୍ଚ୍‌ କରିଥାଏ ବୋଲି ଡାକ୍ତର ପ୍ରଫେସର ବିଜୋନ୍‌ କୁମାର ସିଲ୍‌ ସୂଚନା ଦେଇଛନ୍ତି। ଏହାପୂର୍ବରୁ ବିଜୋନ୍‌ ସ୍ପାର୍ସ ଭୂତାଣୁ ଯାଞ୍ଚ୍‌ କରିବା ଲାଗି ୨୦୦୩ରେ ଏକ କିଟ୍‌ ପ୍ରସ୍ତୁତ କରିଥିଲେ। ବିଜୋନ୍‌ଙ୍କ ନେତୃତ୍ୱରେ ଗବେଷକ ଦଳ ‘ଡଟ୍‌ ବୋଲ୍ଟ ଟେଷ୍ଟ୍‌’ ପଦ୍ଧତିରେ ସଂକ୍ରମିତଙ୍କ ନମୁନା ପରୀକ୍ଷା ଜାରି ରଖିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ୩ଦିନ ପରେ ଶରୀରରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ଆରମ୍ଭ ହୋଇଥାଏ।  ଯଦି ଏହା ପୂର୍ବରୁ ଆରମ୍ଭ ହୁଏ ତେବେ କରୋନାକୁ ପ୍ରତିରୋଧ କରିବା ସମ୍ଭବ ହେବ ବୋଲି ବିଜୋନ୍‌ କହିଛନ୍ତି।

Share