Categories: ଜାତୀୟ

୨୨ ଗ୍ରାମ ନ୍ୟାୟାଳୟ ପାଇଁ ଜାରି ହୋଇଛି ବିଜ୍ଞପ୍ତି

ନୂଆଦିଲ୍ଲୀ,୧୪।୨: ଓଡ଼ିଶା ସରକାର ୨୨ଟି ଗ୍ରାମ ନ୍ୟାୟାଳୟ (ଭିଲେଜ୍‌ କୋର୍ଟ) ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରୁ ଏହି ବିଷୟ ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୩୧ଟି ଭିଲେଜ୍‌ କୋର୍ଟ ପ୍ରତିଷ୍ଠା କରିବାକୁ ଓଡ଼ିଶା ହାଇକୋର୍ଟ ପରାମର୍ଶ ଦେଇଥିଲେ। ଅଦ୍ୟାବଧି ସେଥିରୁ ୨୨ଟି ଭିଲେଜ୍‌ କୋର୍ଟ ସ୍ଥାପନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇସାରିଛି। ଅବଶିଷ୍ଟ ୯ ଭିଲେଜ୍‌ କୋର୍ଟ ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି  ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ‘ନ୍ୟାଶନାଲ୍‌ ଫେଡେରେଶନ୍‌ ଅଫ୍‌ ସୋସାଇଟିଜ୍‌ ଫର୍‌ ଫାଷ୍ଟ ଜଷ୍ଟିସ୍‌’ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଥିଲା। ଶୀର୍ଷ ଅଦାଲତଙ୍କ ତତ୍ତ୍ୱାବଧାନ ଓ ନିରୀକ୍ଷଣରେ ଭିଲେଜ୍‌ କୋର୍ଟ ପ୍ରତିଷ୍ଠା କରିବା ସକାଶେ ପଦକ୍ଷେପ ନେବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ ଅନୁରୋଧ କରାଯାଇଥିଲା। ଜାନୁୟାରୀ ୨୯ରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ମାସକ ମଧ୍ୟରେ ଭିଲେଜ୍‌ କୋର୍ଟ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ଏନ୍‌.ଭି. ରମନ୍ନା, କ୍ରିଷ୍ଣା ମୁରାରି ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ନେଇ କେତେକ ରାଜ୍ୟ କିଛି ପଦକ୍ଷେପ ନେଇନାହାନ୍ତି। ଏନେଇ କୌଣସି ବିଜ୍ଞପ୍ତି ମଧ୍ୟ ଜାରି ହୋଇନାହିଁ କହି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାସହ ବିଜ୍ଞପ୍ତି ଲାଗି ରାଜ୍ୟଗୁଡ଼ିକୁ ୪ ସପ୍ତାହ ସମୟ ଦେଇଥିଲେ। ପ୍ରକାଶ ଯେ, ଦେଶରେ ଲୋକଙ୍କ ହାତପାଆନ୍ତାରେ ନ୍ୟାୟ ପହଞ୍ଚାଇବା ଉଦ୍ଦେଶ୍ୟରେ ଭିଲେଜ୍‌ କୋର୍ଟ ପ୍ରତିଷ୍ଠା ପାଇଁ ୨୦୦୮ରେ ପାର୍ଲାମେଣ୍ଟରେ ଗ୍ରାମ ନ୍ୟାୟାଳୟ ଆଇନ ପ୍ରଣୟନ କରାଯାଇଥିଲା।

Share