Categories: ଖେଳ

୨୨ ବର୍ଷରେ ପନ୍ତ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶୁକ୍ରବାର ୨୨ ବର୍ଷରେ ପାଦ ଦେଇଛନ୍ତି। ୪ ଅକ୍ଟୋବର ୧୯୯୭ରେ ଜନ୍ମ ହୋଇଥିବା ଏହି ଖେଳାଳି ଏବେ ଭାରତୀୟ ଟେଷ୍ଟ ଦଳରୁ ବାହାରେ ଅଛନ୍ତି। କିନ୍ତୁ ଗତ ଏକବର୍ଷ ହେଲା ତାଙ୍କ ପ୍ରଦର୍ଶନ ଦେଖିଲେ, ଦଳକୁ ଫେରିବା ନିଶ୍ଚିତ। ୨୦୧୬ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ନିଜ ଦକ୍ଷତା ଦେଖାଇବା ପରେ ବର୍ଷ ତାଙ୍କୁ ଜାତୀୟ ଦଳରୁ ଡାକରା ମିଳିଥିଲା। ଉତ୍ତରାଖଣ୍ଡରେ ଜନ୍ମିତ ପନ୍ତଙ୍କ ପାଇଁ କ୍ରିକେଟର ହେବା ସହଜ ନ ଥିଲା। ସେ ଖେଳିବା ଆରମ୍ଭ କରିବାବେଳେ ଉତ୍ତରାଖଣ୍ଡରେ କ୍ରିକେଟର ଭବିଷ୍ୟତ ନ ଥିଲା। ଏଣୁ ଦିଲ୍ଲୀରେ ଶିଖର ଧାଓ୍ବନ, ଆଶିଷ ନେହେରା, ଆକାଶ ଚୋପ୍ରାଙ୍କ ଭଳି ବହୁ କ୍ରିକେଟରଙ୍କ ଗୁରୁ ତାରକ ଶିନ୍ହାଙ୍କ ନିକଟରେ ପ୍ରଶିକ୍ଷଣ ନେଇଥିଲେ। ଦିଲ୍ଲୀରେ ତାଙ୍କ ପାଖରେ ରହିବାକୁ କି ଖାଇବାକୁ ନ ଥିଲା। ସେଠାରେ କିଛି ଦିନ ମୋତିବାଗ ଗୁରୁଦ୍ୱାରାରେ ରହିଥିଲେ। ଏହାପରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଲାଗି ଚୟନ କରାଯାଇଥିଲା। ସେହିବର୍ଷ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ପନ୍ତ (୧୮) ଖେଳିବା ଆରମ୍ଭ କରିଥିଲେ। ୨୦୧୭ରେ ଆଇପିଏଲ ଖେଳୁଥିବାବେଳେ ତାଙ୍କ ବାପାଙ୍କ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିଲା। ସେହିବର୍ଷ ଇଂଲଣ୍ଡ ବିପକ୍ଷ ଟି୨୦ ମାଚ୍‌ରେ ପନ୍ତ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାର ଏକବର୍ଷ ପରେ ତାଙ୍କୁ ଟେଷ୍ଟରେ ଖେଳିବାକୁ ସୁଯୋଗ ମିଳିଥିଲା। ସେବେଠାରୁ ପନ୍ତ ଆଉ ପଛକୁ ଫେରି ଚାହଁି ନାହାନ୍ତି। ତାଙ୍କୁ ଏବେ ଦିଲ୍ଲୀ ଫ୍ରାଞ୍ଚାଇଜ ଆଇପିଏଲ ପ୍ରତ୍ୟେକ ସିଜନ ବାବଦକୁ ୧୫ କୋଟି ଟଙ୍କା ଦେଉଛି। ଏପର୍ଯ୍ୟନ୍ତ ୧୧ ମ୍ୟାଚ୍‌ରୁ ୨ ଶତକ ଓ ୨ ଅର୍ଦ୍ଧଶତକ ସହ ୭୫୪ ରନ୍‌ କରିଛନ୍ତି। ୧୨ ଦିନିକିଆ ଓ ୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

Share