୨୩ରୁ ତ୍ରୟୋଦଶ ଯୋଗିନୀ ମହୋତ୍ସବ ଅରୁଣା ମହାନ୍ତି ପାଇବେ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୩ା୧୨(ଡି.ଏନ୍‌.ଏ)- ଆସନ୍ତା ୨୩ତାରିଖରେ ତ୍ରୟୋଦଶ ଯୋଗିନୀ ମହୋତ୍ସବ ରାଜଧାନୀ ଉପକଣ୍ଠ ପ୍ରସିଦ୍ଧ ତନ୍ତ୍ରପୀଠ ବାଳକାଟୀର ମହାମୟୀ ଚଉଷଠି ଯୋଗିନୀଙ୍କ ମନ୍ଦିର ପ୍ରାଙ୍ଗଣରେ ୩ଦିନ ଧରି ଅନୁଷ୍ଠିତ ହେବ। ଭୁବନେଶ୍ୱର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଏବଂ ବାଲିଅନ୍ତା ପଞ୍ଚୟତ ସମିତି ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ମହୋତ୍ସବକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାବାର ପ୍ରଥମ ପ୍ରସ୍ତୁତି ବୈଠକ ଭୁବନେଶ୍ୱରସ୍ଥିତ ସ୍ପେଶାଲ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଡିଏମ୍‌ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲୀ, ଉପଜିଲାପାଳ ଦେବବ୍ରତ ସାହୁ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ତହସିଲଦାର ରଶ୍ମିରେଖା ପ୍ରଧାନ, ଉମାଦେଇବ୍ରହ୍ମପୁର ସରପଞ୍ଚ ସୁକାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଚଳିତବର୍ଷ ମହୋତ୍ସବ ପାଇଁ ୨୫ଲକ୍ଷ ଟଙ୍କାର ବ୍ୟୟଅଟକଳ କରାଯାଇଥିବା ନୃତ୍ୟ ପ୍ରତିଭାର ସଭାପତି ଅଧ୍ୟାପକ ଡ.ରଜନୀ ରଞ୍ଜନ ସୂଚନା ଦେଇଛନ୍ତି। ତ୍ରୟୋଦଶ ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ ଖ୍ୟାତନାମା ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି ପାଇବେ ବୋଲି ବୈଠକରେ ସମ୍ପାଦିକା ଶ୍ରୀମତି ପଣ୍ଡା କହିଛନ୍ତି। ଏଥିସହ ଚଳିତବର୍ଷ ଚଉଷଠି ଯୋଗିନୀ ସଙ୍ଗୀତ ସମ୍ମାନ ପ୍ରଫେସର ରାମହରି ଦାସ, ଚିତ୍ରକଳା ସମ୍ମାନ ପ୍ରଦ୍ୟୁମ୍ନ ଦାଶ, ନାଟ୍ୟସୁଧା ସମ୍ମାନ ଅଭିନେତା ଉତ୍ତମ ମହନ୍ତି, ସାହିତ୍ୟ ସମ୍ମାନ ହରପ୍ରସାଦ ଦାଶ, ଯୁବ ସାହିତ୍ୟ ସମ୍ମାନ ଇପ୍‌ସିତା ଷଢ଼ଙ୍ଗୀକୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Share