୨୩ରେ କାନ୍‌ସରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ ‘ସ୍ବାହା’

ଭୁବନେଶ୍ୱର,୧୮।୫(ବ୍ୟୁରୋ): କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ ଓଡ଼ିଆ ଫିଲ୍ମ। ଫେଷ୍ଟିଭାଲ ଦି କାନ୍‌ସ ୨୦୧୯ର ଶର୍ଟ ଫିଲ୍ମ କର୍ନରରେ ଆସନ୍ତା ୨୩ତାରିଖରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ବାହା’ ପ୍ରଦର୍ଶନ ହେବାକୁ ମନୋନୀତ ହୋଇଛି। ଟେମ୍ପୁଲ୍‌ ସିଟି ଏଣ୍ଟରଟେନ୍‌ମେଣ୍ଟ ଏବଂ ପି.ଏସ୍‌. ମୋଶନ ପିକଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜନା ପ୍ରଦୀପ ସାହୁ କରିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଯୁବ ନିର୍ଦ୍ଦେଶକ ଶିଶିର କୁମାର ସାହୁ। ୧୦ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ଓଡ଼ିଶାରୁ ଏକମାତ୍ର ଫିଲ୍ମ ଭାବେ ଏହା ୭୨ତମ କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବ। ଦୁଇ ଭିନ୍ନ ଭିନ୍ନ ପିଢ଼ିର ଦୁଇ କବିଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଭିନ୍ନ ଚିନ୍ତାଧାରା, ବୟସରେ ବହୁ ତାରତମ୍ୟ ଓ ମାତ୍ରାଧିକ ବ୍ୟବଧାନ ସତ୍ତ୍ୱେ ଦୁଇଜଣ କିଭଳି ପରସ୍ପରର ନିକଟତର ହୋଇଛନ୍ତି, ତାହାକୁ ଏହି ଫିଲ୍ମରେ ଦର୍ଶାଯାଇଛି। ୨୫ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଓ ଥିଏଟର ଜଗତର ଜଣାଶୁଣା ଅଭିନେତା ସୁରେଶ ମିଶ୍ର। ତାଙ୍କ ସହ ଶୁଭସ୍ମିତା ରଥ ଓ ପଲ୍ଲବୀ ବାର୍ବି ଏଥିରେ ଅଭିନେତ୍ରୀ ଭାବେ କାମ କରିଛନ୍ତି। ଫିଲ୍ମଟି ଓଡ଼ିଶାରେ ଶୁଟିଂ ହୋଇଥିବା ବେଳେ ଏଥିରେ ରାଜ୍ୟର ବହୁ ଅନାଲୋଚିତ ସ୍ଥାନକୁ ଦର୍ଶାଯାଇଛି। ଏହି ଫିଲ୍ମ ମାଧ୍ୟମରେ ଓଡ଼ିଆ ଭାଷା ବିଶ୍ୱ ଦରବାରରେ ପହଞ୍ଚିଥିବା ବେଳେ କାହାଣୀକୁ ଅତି ନିଆରା ଢଙ୍ଗରେ ଉପସ୍ଥାପନ କରାଯାଇଛି।

Share