Categories: ବାଣିଜ୍ୟ

୨୩୨ ରେଳ ଷ୍ଟେଶନରେ ନିର୍ମାଣ ହେବ ପୂର୍ବନିର୍ମିତ ଶୌଚାଳୟ

ଭୁବନେଶ୍ୱର,୪-୬: ସ୍ବଚ୍ଛ ଭାରତ ମିଶନ ପଦକ୍ଷେପ ଅନ୍ତର୍ଗତ ୨୩୨ ରେଳ ଷ୍ଟେଶନରେ ପୂର୍ବନିର୍ମିତ ଶୌଚାଳୟ ନିର୍ମାଣ କରାଯିବ। ଏଥି ଲାଗି ପୂର୍ବତଟ ରେଳପଥ, ରାଇଟ୍ସ ଏବଂ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରେଳ ଷ୍ଟେଶନର ବିସ୍ତୃତ ସ୍ଥାନଗୁଡିକରେ ଏହା ନିର୍ମାଣ ହେବ। ସ୍ଥାନୀୟ ଏମ୍‌ସିଏଲ୍‌ କାର୍ଯ୍ୟାଳୟଠାରେ ପୂର୍ବତଟ ରେଳପଥ ପ୍ରମୁଖ ଯନ୍ତ୍ରୀ ଏନ୍‌.ଏସ୍‌.ଉଇକେ, ଏମ୍‌ସିଏଲ୍‌ ସମ୍ବଲପୁର ସିଏସ୍‌ଆର୍‌ ମହାପ୍ରବନ୍ଧକ ବି.ସାଇରାମ, ରାଇଟ୍ସ ମହାପ୍ରବନ୍ଧକ ପ୍ରେମ ରଞ୍ଜନ କୁମାର ଏବଂ ପୂର୍ବତଟ ରେଳପଥର ଯୋଜନା ବିଭାଗ ମୁଖ୍ୟଯନ୍ତ୍ରୀ ବ୍ରଜେଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମୁତାବକ ଓଡ଼ିଶାର ୧୨୭, ଦକ୍ଷିଣ ପୂର୍ବ ରେଲଓ୍ବେର ୫୫ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ୫ଟି ଷ୍ଟେଶନରେ ଶୌଚାଳୟ ନିର୍ମାଣ କରାଯିବ। ଏହା ଦ୍ୱାରା ରେଳଯାତ୍ରୀଙ୍କ ସମେତ ବିଭିନ୍ନ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ଭାବେ ରାଇଟ୍ସ ନିୟୋଜିତ ହୋଇଛି।

Share