Categories: ଜାତୀୟ

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’ ନାମକ ଭେଣ୍ଡି କିସମ ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଡି ଦେଖିବାକୁ ଲାଲ୍‌ ରଙ୍ଗ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌, ଆଇରନ୍‌ ଏବଂ କ୍ୟାଲସିୟମ୍‌ ରହିଛି। ଏହି ଭେଣ୍ଡି କିସମ କିଲୋ ପିଛା ଶହେରୁ ୫ ଶହ ଟଙ୍କାରେ ବିକ୍ରି ରହିଛି। ତେବେ ଏହାର ବିହନ ଖୁବ୍‌ ଶୀଘ୍ର ଦେଶର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡ. ବିଜେନ୍ଦ୍ରଙ୍କ ନେତୃତ୍ୱରେ ଏଭଳି କିସମ ଭେଣ୍ଡି ଲାଗି ୧୯୯୫-୯୬ରେ ଗବେଷଣା ଆରମ୍ଭ ହୋଇଥିଲା। ଗବେଷଣାରେ ତାଙ୍କୁ ଡ.ଏସ୍‌.କେ. ସାନଓ୍ବାଲ, ଡ. ଜି.ପି. ମିଶ୍ରା ଏବଂ ଟେକ୍ନିକାଲ ସହାୟକ ସୁଭାଷ ଚନ୍ଦ୍ର ପ୍ରମୁଖ ଆବଶ୍ୟକ ସହାୟତା କରିଥିଲେ। ଏହି ଭେଣ୍ଡି କିସମ ୧୧-୧୪ ସେମି ଲମ୍ବ ହୋଇଥିବାବେଳେ ଏହାର ଗୋଲେଇ ୧.୫-୧.୬ ସେମି ରହିଛି। ଏହି ରଙ୍ଗର ଭେଣ୍ଡି ସାଧାରଣତଃ ପାଶ୍ଚାତ୍ୟ ରାଷ୍ଟ୍ରରେ ଅଧିକ ଚାଷ କରାଯାଇଥାଏ।

Share