Categories: ବାଣିଜ୍ୟ

୨୩ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କୁ ମୁଦ୍ରାସ୍ଫୀତି କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ତଥ୍ୟ ସୋମବାର ଜାରି କରାଯାଇଛି। ଜୁନ୍‌ରେ ମୁଦ୍ରାସ୍ଫୀତି ୨.୦୨ ପ୍ରତିଶତ ରହିଛି। ଗତ ମାସରେ ଏହା ୨.୪୫% ରହିଥିଲା। ଏପରି ଦେଖିଲେ ଗୋଟିଏ ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ୦.୪୩% ହ୍ରାସ ପାଇଛି। ଜୁନ୍‌ର ତଥ୍ୟ ଗତ ୨୩ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୮୮ ପ୍ରତିଶତ ରହିଥିଲା। ସେହିପରି ଏକ ବର୍ଷ ପୂର୍ବର ତଥ୍ୟ ସହ ତୁଳନା କଲେ ଜଣାପଡେ ଯେ, ୨୦୧୮ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୫.୬୮ ପ୍ରତିଶତ ରହିଥିଲା। ପ୍ରକାଶିତ ତଥ୍ୟ ଅନୁଯାୟୀ, ପନିପରିବା, ଇନ୍ଧନ ଓ ବିଜୁଳି କ୍ଷେତ୍ର ସହ ଜଡ଼ିତ ସାମଗ୍ରୀ ଦର ହ୍ରାସ ପାଇବା କାରଣରୁ ମୁଦ୍ରାସ୍ଫୀତି କ୍ରମାଗତ ଦ୍ୱିତୀୟ ମାସ ହେବ କମିଛି। ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ସାମାନ୍ୟ କମି ୬.୯୮ ପ୍ରତିଶତ ରହିଥିବା ବେଳେ ପନିପରିବା ମୁଦ୍ରାସ୍ଫୀତି ହାର ୨୪.୭୬ ପ୍ରତିଶତକୁ ହ୍ରାସ ପାଇଛି। ସୂଚନାଥାଉ କି, ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇବା କାରଣରୁ ଜୁନ୍‌ରେ ଏହା ୩.୧୮%କୁ ବୃଦ୍ଧି ପାଇଥିଲା। ଗତବର୍ଷ ଏହା ୪.୯୨% ଥିଲା। ଚଳିତ ବର୍ଷ ଜାନୁୟାରୀରୁ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଚାଲିଛି।

Share