୨୪ଘଣ୍ଟା ପ୍ରବଳ ବର୍ଷିବ:ଆଜି ୩ ଜିଲାକୁ ଅରେଞ୍ଜ, ୭ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୪-୯(ବ୍ୟୁରୋ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ବୁଧବାର ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଆଦି ୩ଟି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି କୋରାପୁଟ, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଆଦି ୭ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏ ସମସ୍ତ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ କେନ୍ଦ୍ର। ଗୁରୁବାର ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ା, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଆଦି ୭ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନ ଯିବା ପାଇଁ ବାରଣ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ଯୋଗୁ ସୋମବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଯାତାୟାତ ଠପ୍‌ ହୋଇଥିଲା। ସୋମବାର ରାତିରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପୁରୀରେ ସର୍ବାଧିକ ୧୪୭ ମିମି ବର୍ଷା ହୋଇଛି। ଭୁବନେଶ୍ୱରରେ ୪୮.୭, କୋରାପୁଟରେ ୪୦.୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୫୬.୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାରିପଦାରେ ୨୨, ପାରାଦୀପରେ ୧୩.୮, ସମ୍ବଲପୁରରେ ୧୩, କୋରାପୁଟରେ ୧୨, ମାଲକାନଗିରି ଓ ଚାନ୍ଦବାଲିରେ ୧୧, ଭବାନିପାଟଣାରେ ୮, ଗୋପାଳପୁରରେ ୬, ଅନୁଗୋଳରେ ୪.୬, ପୁରୀରେ ୪, କଟକରେ ୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି।

Share