୨୪ରୁ ଜାଗୃତି ଯାତ୍ରା: ଯୋଗଦେବେ ଓଡ଼ିଶାର ୨୦ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଓଡ଼ିଶାରୁ ୨୦ ଉଦ୍ୟୋଗୀ ଜାଗୃତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ତତ୍ତ୍ୱାବଧାନରେ ଓଡ଼ିଶାରୁ ୧୦ ନାନୋ ୟୁନିକର୍ନ ଓ ୧୦ ଷ୍ଟାର୍ଟଅପ୍‌ ଏହି ଯାତ୍ରାରେ ସାମିଲ ହେବେ। ଏନେଇ ଓଏସ୍‌ଡିଏ ତରଫରୁ ସୂଚନା ଦିଆଯାଇଛି। ବ୍ୟବସାୟ କ୍ଷେତ୍ରରେ ନୂଆ ବିଷୟ ଜାଣିବା ଏବଂ ନୂଆ ଲୋକଙ୍କ ସହ ମିଶି ଅଭିଜ୍ଞତା ସାଉଁଟିବା ପାଇଁ ଜାଗୃତି ସେବା ସଂସ୍ଥାନ ପକ୍ଷରୁ ଯୁବ ଉଦ୍ୟୋଗୀଙ୍କ ଲାଗି ଆୟୋଜିତ ହେଉଥିବା ଏହି ଯାତ୍ରାରେ ୪୫୦ ଉଦ୍ୟୋଗୀ ପ୍ରାୟ ୧୫ ଦିନ ଗୋଟିଏ ଟ୍ରେନ୍‌ରେ ୮ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ୧୨ ସହର ପରିଭ୍ରମଣ କରିବେ। ସମଗ୍ର ଦେଶରୁ ୧୫ ହଜାର ଆଶାୟୀ ଏଥିପାଇଁ ଆବେଦନ କରିଥିଲେ।
ଓଡ଼ିଶାରୁ ମନୋନୀତ ଉଦ୍ୟୋଗୀ ମାନେ ରବିବାର ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏନେଇ ଓଏସ୍‌ଡିଏ ତରଫରୁ ସ୍ଥାନୀୟ ସିଓ୍ବାଇଏସ୍‌ଡିଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ ସମସ୍ତ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜଣେ ସଫଳ ବ୍ୟବସାୟୀ ହେବା ଲାଗି ଭ୍ରମଣ କରିବାର ଆବଶ୍ୟକତା ରହିଛି। ଏହି ଯାତ୍ରାରେ ଓଡ଼ିଶାର ଆମ୍ବାସାଡର ହୋଇ ବିଭିନ୍ନ ପ୍ରାନ୍ତର ଯାତ୍ରୀଙ୍କ ସହ ମିଶି ଅଭିଜ୍ଞତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ମିଶ୍ର, ସଙ୍ଗୀତା ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ଦୀପକ ସାହୁ ଓ ସୌମେନ୍ଦ୍ର ଦାସ ଉପସ୍ଥିତ ରହି ଉଦ୍ୟୋଗୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ୨୪ ଡିସେମ୍ବରରୁ ମୁମ୍ବାଇରୁ ଦେଶର ଅନ୍ୟ ପ୍ରାନ୍ତର ଉଦ୍ୟୋଗୀମାନଙ୍କ ସହ ମିଶି ଏହି ଯାତ୍ରା ଆରମ୍ଭ ହେବ। ଟ୍ରେନ୍‌ ମଧ୍ୟରେ ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଯାତ୍ରା ମୁମ୍ବାଇରୁ ଆରମ୍ଭ ହୋଇ ହୁବ୍‌ଲି, ବେଙ୍ଗାଲୁରୁ, ମଦୁରାଇ, ଚେନ୍ନାଇ, ବିଶାଖାପାଟନମ୍‌, ବ୍ରହ୍ମପୁର, ରାଜଗିର, ଦେଓରିଆ, ଦିଲ୍ଲୀ, ତିଲୋନିଆ ଓ ଅହମ୍ମଦାବାଦ ସହର ଦେଇ ଜାନୁୟାରୀ ୮ରେ ମୁମ୍ବାଇରେ ଶେଷ ହେବ। ସମସ୍ତ ଯାତ୍ରୀ ଡିସେମ୍ବର ୩୧ରେ ବ୍ରହ୍ମପୁର ପହଞ୍ଚିବା ପରେ ସ୍ଥାନୀୟ ଗ୍ରାମବିକାଶ ସଂସ୍ଥାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂ ସେମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Share