୨୪ରୁ ପ୍ରବଳ ବର୍ଷା : ୪ଦିନ ପର୍ଯ୍ୟନ୍ତ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ୨୪ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ଗଞ୍ଜାମ, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଆଦି ୯ଜିଲାରେ ପ୍ରବଳ ବର୍ଷା ହେବ। ସେଥିପାଇଁ ଏସବୁ ଜିଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୨୫ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ଦିନ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼ ଆଦି ୫ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ପୁରୀ, ଦେବଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ ଓ ଜଗତ୍‌ସିଂହପୁର ଆଦି ୬ ଜିଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୬ତାରିଖ ଦିନ ବରଗଡ଼ ଓ ସୁନ୍ଦରଗଡ଼ ଆଦି ଦୁଇଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ଆଦି ୪ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସୋମବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ୱର ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଶ ଉପକୂଳ ଓଡ଼ିଶାରେ ଏବଂ ଦକ୍ଷିଶ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ହୋଇଥିବାବେଳେ ଚାନ୍ଦବାଲିରେ ସର୍ବାଧିକ ୧୬ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Share