୨୪ ଘଣ୍ଟାରେ ସୁସ୍ଥ ହେଲେ ୪ ହଜାର ୭୭୬

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ଲକ୍ଷେ ୩୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୪୮.୩୧ ପ୍ରତିଶତ ରହିଛି। ସେହିପରି ମୃତ୍ୟୁ ହାର ୨.୮୦ ପ୍ରତିଶତ ରହିଛି। ଦେଶରେ ବୁଧବାର ସୁଦ୍ଧା ଲକ୍ଷେ ଏକ ହଜାର ୪୯୭ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନମୁନା ସଂଗ୍ରହ କରାଯାଇ ଏହାକୁ ୪୮୦ ସରକାରୀ ଏବଂ ୨୦୮ ବେସରକାରୀ ଲ୍ୟାବ୍‌ରେ ପରୀକ୍ଷା କରାଯାଉଛି। ଇତିମଧ୍ୟରେ ୪୧ ଲକ୍ଷ ୩ ହଜାର ୨୩୩ ନମୁନା ପରୀକ୍ଷା କରାଯାଇଛି। ସେହିପରି ଦେଶରେ ୯୫୨ କୋଭିଡ୍‌-୧୯ ହସ୍ପିଟାଲରେ ଲକ୍ଷେ ୬୬ ହଜାର ୩୩୨ ଆଇସୋଲେଶନ ଶଯ୍ୟା, ୨୧ ହଜାର ୩୯୩ ଆଇସିୟୁ, ୭୨ ହଜାର ୭୬୨ ଅକ୍ସିଜେନ୍‌ ସଂଲଗ୍ନ ହୋଇଥିବା ଚିକିତ୍ସା ଶଯ୍ୟା ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଦେଶରେ ୨ ହଜାର ୩୯୧ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏସବୁ କେନ୍ଦ୍ରରେ ଲକ୍ଷେ ୩୪ ହଜାର ୯୪୫ ଆଇସୋଲେଶନ ଶଯ୍ୟା, ୧୧ ହଜାର ୨୭ ଆଇସିୟୁ, ୪୬ ହଜାର ୮୭୫ ଅକ୍ସିଜେନ୍‌ ସଂଲଗ୍ନ ହୋଇଥିବା ଚିକିତ୍ସା ଶଯ୍ୟା ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୋଟିଏ ୨୫ ଲକ୍ଷ ୨୮ ହଜାର ଏନ୍‌-୯୫ ମାସ୍କ୍‌ ଏବଂ କୋଟିଏ ଏକ ଲକ୍ଷ ୫୪ ହଜାର ପିପିଇ କିଟ୍‌ ଯୋଗାଇ ଦିଆଯାଇଛି।

Share