ଲଣ୍ଡନ,୨।୬: କରୋନା ସଂକ୍ରମଣକୁ ରୋକିବାକୁ ବିଶ୍ୱର ଅଧିକାଂଶ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ ନିୟମରେ କୋହଳ କରାଯାଇଥିବା ବେଳେ କେବଳ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଛି। ଅନ୍ୟପଟେ କରୋନା ସଂକ୍ରମଣ କମ୍ ହେବା ପରିବର୍ତ୍ତେ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୧ ଲକ୍ଷରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩,୬୩,୭୦୦ ଅତିକ୍ରମ କରିଛି। ସେହିପରି ଗତ ୨୪ ଘଣ୍ଟାରେ ପାଖାପାଖି ୩ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ପୁଣିଥରେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏବେ ବିଶ୍ୱରେ ମୋଟ ମୃତ୍ୟୁ ସଂଖ୍ୟା ୩,୭୭,୦୦୦ଅତିକ୍ରମ କରିଛି। ଆମେରିକା, ବ୍ରାଜିଲ, ରୁଷିଆ, ଭାରତ, ପେରୁ କରୋନା ସଂକ୍ରମଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି। ଲକ୍ଡାଉନ ମଧ୍ୟରେ ସୋମବାର ବ୍ରିଟେନର ପ୍ରାଇମେରୀ ସ୍କୁଲକୁ ମଧ୍ୟ ଖୋଲି ଦିଆଯାଇଛି। ସାମାଜିକ ଦୂରତା ବଜାୟ ରଖି ପିଲାମାନେ ସ୍କୁଲ ଯିବାକୁ କୁହାଯାଇଛି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ଛାଡି ପାରନ୍ତି ବୋଲି ଅନୁମାନ କରାଯାଇଛି।