୨୪ ଘଣ୍ଟାରେ ୨୮୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୭।୬: ବଢି ବଢି ଚାଲିଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ ଦେଶରେ ଅନ୍‌ଲକ୍‌ ୧.୦ ଆରମ୍ଭ କରାଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମଣ ଓ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୯୯୭୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୮୭ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ରବିବାର ସକାଳ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୪୬,୬୨୮ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୨୦,୪୦୬ ଜଣଙ୍କର ଚିକିତ୍ସା ଚାଲିଛି ଓ ୧,୧୯,୨୯୩ ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ଏବେସୁଦ୍ଧା ଦେଶରେ ୬,୯୨୯ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଲାଣି। ଏହି ରିପୋର୍ଟକୁ ଦେଖିବା ପରେ ଲାଗୁଛି ଆଉ କିଛିଦିନ ମଧ୍ୟରେ ହୁଏତ କରୋନା ସଂକ୍ରମଣରେ ଅନ୍ୟ ସମସ୍ତ ଦେଶକୁ ପଛରେ ପକାଇଦେବ। ଦେଶରେ ଦିନକୁ ପାଖାପାଖି ୧୦ ହଜାର ନୂଆରୋଗୀ ଚିହ୍ନଟ ହେବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।

Share