୨୪ ଘଣ୍ଟାରେ ୪୬ ହଜାର ନୂଆ ମାମଲା

ଓ୍ବାଶିଂଟନ/ଲଣ୍ଡନ/ବ୍ରାଜିଲିଆ, ୧୭।୫: କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇ ଦେଇଛି। ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି କାହାରିକୁ ବାଟ ଦେଖାଯାଉ ନାହିଁ। ଗତ ୪ ମାସରୁ ଊର୍ଦ୍ଧ୍ୱକାଳ ବିଶ୍ୱବାସୀ ଭୂତାଣୁର ଚକ୍ରବୂ୍ୟହ ଭିତରେ ଫସି ରହିଛନ୍ତି। ଏବେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬.୬୬ ଲକ୍ଷରୁ ଅଧିକ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୩ ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ। ସବୁଠାରୁ ବଡ଼କଥା ହେଲା ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ନୂଆ ମାମଲା ସାମ୍ନାକୁ ଆସିବା। ଏହା ପରେ ଗୋଟିଏ ଦିନରେ ୧୭ ଶହରୁ ଅଧିକ ଜୀବନ ଯାଇଛି। ଗତ କିଛିଦିନ ହେବ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଆମେରିକା ଜଟିଳ ସ୍ଥିତିରେ ରହିଛି। ଏଠାରେ ୧୪.୮୭ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୮, ୬୬୮କୁ ବୃଦ୍ଧିପାଇଛି। କେବଳ ଶନିବାର ଏଠାରେ ୩୬ ଶହରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ଉଗ୍ର ସଂକ୍ରମଣ ଦେଶ ତାଲିକାରେ ରୁଷିଆ ତୃତୀୟ, ବ୍ରାଜିଲ ଷଷ୍ଠ ଦେଶ ଭାବେ ଉଭା ହୋଇଛନ୍ତି। ରୁଷିଆରେ ଶନିବାର ୯,୨୦୦ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୦୭୦ ନୂଆ ମାମଲା ସାମ୍ନାକୁ ଆସିଛି। ରୁଷିଆରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨.୭୨ ଲକ୍ଷରୁ ଅଧିକ ଥିବାବେଳେ ବ୍ରାଜିଲରେ ୨.୨୦ ଲକ୍ଷରୁ ଅଧିକ ସଂକ୍ରମିତ ଅଛନ୍ତି।
ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଦେଶ ସ୍ପେନ୍‌ରେ ୨,୭୬ ଲକ୍ଷ ଲୋକ କରୋନା କବଳିତ ହୋଇଥିବା ବେଳେ ୨୭,୫୬୩ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ହଜାରରୁ ଊର୍ଦ୍ଧ୍ୱ ନୂଆ ରୋଗୀ ସୃଷ୍ଟି ହୋଇଛନ୍ତି। ଚତୁର୍ଥ ସର୍ବାଧିକ ସଂକ୍ରମିତ ତାଲିକାରେ ଥିବା ବ୍ରିଟେନରେ ୨.୪୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଅଛନ୍ତି। ଏଠାରେ ଏପର୍ଯ୍ୟନ୍ତ ୩୪, ୪୬୬ ବ୍ୟକ୍ତି ପ୍ରାଣ ହରାଇଲେଣି। ଇଟାଲୀରେ ୩୧,୬୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨.୨୩ ଲକ୍ଷ ଉପରେ ରହିଛି। ଫ୍ରାନ୍ସ, ଜର୍ମାନୀ, ତୁର୍କୀ ଓ ଇରାନରେ ୬ ଲକ୍ଷରୁ ଅଧିକ ସଂକ୍ରମିତ ରହିଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୪୬ ହଜାରରୁ ଊର୍ଦ୍ଧ୍ୱ। କେବଳ ଫ୍ରାନ୍ସରେ ୨୭, ୫୨୯ ଜଣଙ୍କ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ଏହାଛଡ଼ା ଭାରତରେ ୨,୭୬୦, ପେରୁରେ ୨,୩୯୨, ଚାଇନାରେ ୪,୬୩୩, କାନାଡାରେ ୫,୫୬୨, ବେଲଜିୟମରେ ୯,୦୦୫, ମେକ୍ସିକୋରେ ୪,୭୬୭, ନେଦରଲାଣ୍ଡ୍ସ୍‌ରେ ୫,୬୭୦, ସ୍ବିଡେନରେ ୩,୬୭୪ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ପରିସ୍ଥିତି ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ଏଥିରୁ ମୁକୁଳିବାର ବାଟ ଦିଶୁନାହିଁ। ଅର୍ଥନୀତି ଭୁଶୁଡ଼ିବାରେ ଲାଗିଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ କାମଧନ୍ଦା ମିଳୁନି। କଳ କାରଖାନା ବନ୍ଦହୋଇ ପଡ଼ିଛି। ଚାରିଆଡ଼ ଅନ୍ଧାର ଦିଶୁଛି। କୌଣସି ସଫଳ ଔଷଧ ବାହାରି ନ ଥିବାରୁ କେବଳ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

Share