୨୪ ଘଣ୍ଟା ମଧ୍ୟରେ ଲଘୁଚାପ : ୫ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ସେହି ଜିଲାଗୁଡିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ା। ଏହା ସହ ଓଡ଼ିଶାର ଅନେକ ସ୍ଥାନରେ ଅଳ୍ପ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହ ରାଜ୍ୟର ଅନ୍ୟାନ୍ୟ କେତେକ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ରବିବାର ସକାଳ ୮ ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାର ମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୭୮.୨ ମିମି, ବାରିପଦାରେ ୬୩ .୪, କଟକ ୩୯.୪, ଭୁବନେଶ୍ୱରରେ ୨୮, ସୁନ୍ଦରଗଡ଼ ୨୫, ଓ ତାଳଚେରରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି।

Share