୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ପାଇଁ ସୁପର-୩୦ ପ୍ରତିଷ୍ଠାତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସମସ୍ତେ ଅନ୍‌ଲାଇନ ଶିକ୍ଷା ଉପଲବ୍ଧ କରିବା ସମ୍ଭବ ନୁହେଁ। ସେଥିପାଇଁ ସମାଜର ପ୍ରତ୍ୟେକ ବର୍ଗର ଛାତ୍ରୀଛାତ୍ରଙ୍କ ଲାଗି ‘ଦୂରଦର୍ଶନ ଏଜୁକେଶନ’ ନାମରେ ଏକ ୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ଆରମ୍ଭ କରିବା ଲାଗି ସୁପର-୩୦ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗଣିତଜ୍ଞ ଆନନ୍ଦ କୁମାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ସୁପର-୩୦ ଶିକ୍ଷାନୁଷ୍ଠାନ ମାଧ୍ୟମରେ ପ୍ରତିବର୍ଷ ଆଇଆଇଟି-ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଗରିବ ଶ୍ରେଣୀର ୩୦ ଜଣ ମେଧାବୀଙ୍କୁ ସଫଳ କରାଉଥିବା ଆନନ୍ଦ କୁମାର ଏନେଇ ଏଚ୍‌ଆର୍‌ଡି ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିଡି ପକ୍ଷରୁ ଏଭଳି ଏକ ଚ୍ୟାନେଲ ଆରମ୍ଭ କରାଗଲେ ଦେଶବ୍ୟାପୀ ଛାତ୍ରୀଛାତ୍ରୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଭାରତ ସମେତ ସାରା ବିଶ୍ୱ ଏବେ କରୋନା ମହାମାରୀ ଜନିତ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଜୀବନ ବଞ୍ଚାଇବା ପାଇଁ ଦେଶକୁ ଲକ୍‌ଡାଉନରେ ରଖାଯାଇଥିବାବେଳେ ପିଲାମାନଙ୍କ ଶିକ୍ଷା ଗୁରୁତର ପ୍ରଭାବିତ ହୋଇଥିବା ସେ କହିଛନ୍ତି। କେତେକ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଉଦ୍ୟମ ଚଳାଇଥିଲାବେଳେ ଏହା ସବୁ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ। ତେଣୁ ଡିଡି ପକ୍ଷରୁ ଶିକ୍ଷା ଚ୍ୟାନେଲ ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି।

Share