Categories: ଜାତୀୟ

୨୪ ବର୍ଷ ପରେ ସୋସିଆଲ ମିଡିଆରେ ଦେଖାହୋଇ ଠକିଦେଲେ ପିଲାଦିନର ବନ୍ଧୁ

ନୋଏଡା,୧।୭: ସୋସିଆଲ ନେଟଓ୍ବାର୍କିଂ ସାଇଟରେ ପିଲାଦିନର ସାଙ୍ଗକୁ ୨୪ ବର୍ଷ ପରେ ଦେଖାହୋଇ ଠକେଇର ଶୀକାର ହେଲେ ମହିଳା। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ନୋଏଡାରେ। ସେକ୍ଟର-୪୫ ଆମ୍ରପାଲୀ ସଫାୟର ସୋଶାଇଟିରେ ପୀଡିତ ମହିଳା ଓ ତାଙ୍କ ପରିବାର ରୁହଁନ୍ତି। ଅଭିଯୁକ୍ତ ମହିଳା ଓ ପୀଡିତ ମହିଳା ଦୁହେଁ ପିଲାଦିର ସାଙ୍ଗ ହୋଇଥିବା ବେଳେ ଏକା ସାଙ୍ଗରେ ସ୍କୁଲରେ ପାଠ ପଢ଼ୁଥିଲେ। ସ୍ବାତି ୟୁସୋବିୟସ ଦ୍ୱାଦଶ ସରିବା ପରେ ୧୯୯୫ରେ ପୀଡିତ ମହିଳାଙ୍କଠାରୁ ଅଲଗା ହୋଇଯାଇଥିଲେ। ପ୍ରାୟ ୨୪ ବର୍ଷ ପରେ ଚଳିତ ଜାନୁୟାରୀରେ ସ୍ବାତି ସହ ମହିଳାଙ୍କ ଫେସବୁକରେ ଦେଖାହୋଇଥିଲା। ଉଭୟ ପରସ୍ପରଙ୍କୁ ନିଜ ଫୋନ ନମ୍ବର ଦେଇ କଥାବାର୍ତ୍ତା ହୋଇଥିଲେ। ତେବେ ସ୍ବାତି ବିବାହ ପରେ ଦୁବାଇରେ ରହିବା ସହ କ୍ୱାଲିଟି ମ୍ୟାନପାଓ୍ବର ସପ୍ଲାଇ କମ୍ପାନୀର ମାଲିକାଣୀ ଥିବା ନେଇ ମହିଳାଙ୍କୁ କହିଥିଲେ। ଏଥିସହ ପୀଡିତ ମହିଳାଙ୍କୁ ସ୍ବାତି ଚାକିରୀ ପାଇଁ ଅଫର କରିବା ସହ କାଗଜପତ୍ର ପ୍ରକିୟା ପାଇଁ ୧୩ହଜାର ଦିରହମ୍‌(ପ୍ରାୟ ଅଢ଼େଇ ଲକ୍ଷ) ଖର୍ଚ୍ଚ ହେବ ବୋଲି କହିଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ସ୍ବାତି ମହିଳାଙ୍କୁ ନିଯୁକ୍ତି ନେଇ ସମୟ ଗଢ଼ାଇଚାଲିଥିଲେ। ଏହାପରେ ତାଙ୍କୁ ଆଉ ସେ ଧରାଛୁଅଁ। ନ ଦେଇ ଫେସବୁକ ଓ ହ୍ବାଟସ୍‌ଆପ୍‌ରେ ବ୍ଲକ କରିଦେଇଥିଲେ। ଏହାଦେଖି ପୀଡିତ ମହିଳା ଠକେଇର ଶୀକାର ହୋଇଥିବା ଜାଣିପାରି ଦୁବାଇ ପୋଲିସଙ୍କୁ ଏନେଇ ଏକ ଇମେଲ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ହେଲେ ଦୁବାଇ ପୋଲିସର ମନ୍ଥରତା ଦେଖି ପୁଣି ମହିଳା ଜଣଙ୍କ ନୋଏଡାର ସେକ୍ଟର ୩୯ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ମାମଲା ସାଇବର ସେଲ୍‌କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ କୁଟନୈତିକ ଚ୍ୟାନେଲ ଜରିଆରେ ଦୁବାଇ ପୋଲିସଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି।

Share