୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା

ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି। ବୁଧବାର ଆର.ଉଦୟଗିରି ଥାନା ନୂଆଗଡ ବ୍ଲକର ଅନୁଗୁରୁ ଗ୍ରାମ ନିକଟରେ ଥିବା ଏକ ପାହାଡ ଉପରେ ୧୨ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୨୪ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଚଢାଉରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ପାଣିଗ୍ରାହୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମାହାନ୍ତି, ଥାନା ଅଧିକାରୀଣି ମମତା ନାୟକ, ଅବକାରୀ ଓଆଇସି ଜି. ସୁରିବାବୁ ଓ ରାଜସ୍ବ ଓ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।