୨୫ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ

ରସୁଲପୁର,୮।୪(ଡିଏନଏ): ରସୁଲପୁର ବ୍ଲକ ବ୍ରହ୍ମବରଦାକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଏପ୍ରିଲ ୧୨ ପର୍ଯ୍ୟନ୍ତ ଶଟଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ବ୍ରହ୍ମବରଦା ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ଅଞ୍ଚଳକୁ ସିଲ କରାଯାଇ କରୋନା ଟିମ୍‌ ଦ୍ୱାରା ଘରକୁ ଘର ବୁଲି ତଦନ୍ତ କରାଯାଉଛି। ଏହି ତଦନ୍ତ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରିବା ପାଇଁ ପ୍ରଶାସନ ବ୍ରହ୍ମବରଦାରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରୁଛି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା, ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ସୁଧିର କୁମାର ସାହୁ, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ସିଡିପିଓ ଦୀପ୍ତିମୟୀ ନାୟକଙ୍କ ସମେତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ କରୋନା ଟିମ୍‌ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ୧୫ଟି ଟିମ୍‌ ଗଠନ କରାଯାଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଧବାର ଆଉ ୭ଟି ଦଳକୁ ବଢାଇବା ସହିତ ମୋଟ ୨୨ଟି ଟିମ୍‌ ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନଙ୍କଠାରୁ ଆସିଥିବା ରିପୋର୍ଟ ଆଧାରରେ ଏବେ ସୁଦ୍ଧା ମୋଟ ୩୨ ଲୋକ କରୋନା ଆକ୍ରାନ୍ତ ମୌଲବୀ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ମୌଲବୀ ସଂସ୍ପର୍ଶରେ ଆସିଥିବା କେତେକ ବ୍ୟକ୍ତି ୧୦୪କୁ ଫୋନ କରି ନାମ ପଞ୍ଜୀକରଣ କରିଥିବାରୁ ଏହି ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହାଛଡା ଡାକ୍ତରୀ ଦଳ ପକ୍ଷରୁ ୨୫ରୁ ଊର୍ଦ୍ଧ୍ୱ କରୋନା ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇଛି। ଏହି ସବୁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହି ଅଞ୍ଚଳର କରୋନା ସ୍ଥିତି ସମ୍ପର୍କରେ ଅନୁମାନ ଲଗାଯାଇ ପାରିବ ନାହିଁ। ସନ୍ଦିଗ୍ଧଙ୍କ ମଧ୍ୟରୁ ଯଦି କାହାର ପଜିଟିଭ ଆସେ ତେବେ ତାର ଲିଙ୍କ ବି ଖୋଜାଯିବ। ଏହିଭଳି ଭାବେ କରୋନା ନ ବ୍ୟାପିବା ପାଇଁ ପ୍ରୟାସ ଜାରି ରହିଛି।

Share