୨୫ରୁ ବନ୍ଦ ହେବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଆସନ୍ତା ୨୫ତାରିଖରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ବନ୍ଦ ହେବ। ଏ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଚିଠି ଲେଖି ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ତେବେ ଏହା ସାମୟିକ ବୋଲି ଚିଠିରେ ଉଲ୍ଲେଖ ରହିଥିବା ଏୟାରପୋର୍ଟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ତେବେ ସାମୟିକର ସମୟସୀମା ବିଷୟରେ କିଛି ଜଣାପଡ଼ିନାହିଁ। ଏହି ବିମାନଟି ବନ୍ଦ ହୋଇଯିବା ପରେ ଭୁବନେଶ୍ୱରରୁ କେବଳ ଗୋଟିଏ ଅନ୍ତର୍ଜାତୀୟ ବିମାନ ଉଡ଼ିବ। ଆଗରୁ ଏୟାର ଇଣ୍ଡିଆ ବ୍ୟାଙ୍କକ୍‌କୁ ବିମାନ ଚଳାଚଳ ବନ୍ଦ କରିଦେଇଛି। ଏବେ କେବଳ ଏୟାର ଏସିଆର ଗୋଟିଏ ବିମାନ କୁଆଲାଲାମ୍‌ପୁରକୁ ଚଳାଚଳ କରୁଛି। ଏୟାର ଏସିଆ ବିମାନ ପ୍ରତ୍ୟାହାରକୁ ସାମୟିକ କହିଥିବାବେଳେ ବିଶେଷଜ୍ଞ ଏହାକୁ ଗ୍ରହଣ କରିନାହାନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିିଛି ଯେ, ଏହି ବିମାନରେ ୭୦ ପ୍ରତିଶତ ସିଟ୍‌ ବି ପୂରଣ ହେଉ ନ ଥିଲା। ବାଧ୍ୟ ହୋଇ ବିମାନ କମ୍ପାନୀ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଥିଯୋଗୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ଏୟାର ଏସିଆ ସହ ଆଲୋଚନା କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଯାତ୍ରୀମହଲରେ ମତ ପ୍ରକାଶ ପାଇଛି। ଗତ କିଛି ମାସ ଭିତରେ ଏୟାର ଏସିଆ ତିନୋଟି ସହରକୁ ଘରୋଇ ବିମାନ ସେବା ବନ୍ଦ କରିଛି। ଚେନ୍ନାଇ, ରାଞ୍ଚତ୍ ଓ ହାଇଦ୍ରାବାଦକୁ ସେବା ବନ୍ଦ କରିଥିବା ବେଳେ ବେଙ୍ଗାଲୁରୁ ଓ କୋଲକାତା ରୁଟ୍‌ରେ ବିମାନ ସଂଖ୍ୟା ହ୍ରାସ କରାଯାଇଛି। ଗତବର୍ଷ ଡିସେମ୍ବରରୁ ଆରମ୍ଭ କରିଥିବା ସେବା ଏତେ ଶୀଘ୍ର ବନ୍ଦ ହୋଇଯିବାର କାରଣ ସ୍ପଷ୍ଟ ନ କରିଥିଲେ ବି ଯାତ୍ରୀଙ୍କ ସଂଖ୍ୟା କମ୍‌ ଏକ ପ୍ରମୁଖ କାରଣ ବୋଲି ଶୁଣିବାକୁ ମିଳୁଛି।

Share