୨୫ରେ ବିଧାନସଭା ମୌସୁମୀ ଅଧିବେଶନ: ଆଜି ବିଜେଡି ବିଧାୟକ ଦଳ ବୈଠକ, ଭାଜପା ବାଛିବ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଚଳିତ ମାସ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଜେଡି ରାଜ୍ୟରେ ୫ମ ଥର ପାଇଁ ସରକାର କରିଛି। ୫ମ ପାଳିର ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଶାସକ ଦଳ ନିଜ ରଣନୀତି ପ୍ରସ୍ତୁତ କରିବ। ରବିବାର ବିଜେଡି ବିଧାୟକ ଦଳର ବୈଠକ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ା ଏ ନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବରୁ ସୂଚନା ଦେଇଥିଲେ। ପୂର୍ବରୁ ବିଧାୟକ ଦଳ ବୈଠକ ଆସନ୍ତା ୨୪ରେ ଅର୍ଥାତ୍‌ ଅଧିବେଶନ ଆରମ୍ଭର ପୂର୍ବଦିନ ହେବାକୁ ନିଷ୍ପତ୍ତି ହୋଇଥିଲା। ପରେ ପରିବର୍ତ୍ତନ କରାଯାଇ ୨୩ ତାରିଖ ଅପରାହ୍ନ ୫ଟା୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। । ପ୍ରଥମ ଥର ଲାଗି ଭାଜପା ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ। ଭାଜପା ସଂଖ୍ୟା ମଧ୍ୟ ବିଧାନସଭାରେ ଏଥର ୨୩ରେ ପହଞ୍ଚିଛି। ଚଳିତ ଅଧିବେଶନ ସମୟରେ ବଜେଟ୍‌ ଆଗତ କରାଯିବ। ସେହିପରି ଆସନ୍ତା ୨୪ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି ବିଧାୟକ ଦଳ ବୈଠକ ଗୋଟିଏ ଦିନ ଆଗରୁ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେହିପରି ଭାଜପା ବିଧାୟକ ଦଳର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କେନ୍ଦ୍ରୀୟ ଟିମ୍‌ ଜଣଙ୍କୁ ନେତା ଭାବେ ମନୋନୀତ କରିବେ। ଭାଜପା ବିଧାନସଭାରେ ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ଏହାର ନେତା ସ୍ବାଭାବିକ ଭାବେ ବିରୋଧୀ ଦଳ ନେତା ହେବେ। ସେହିପରି ଭାଜପାରୁ ଅନ୍ୟ ଜଣେ ଉପନେତା ଏବଂ ବିରୋଧୀ ମୁଖ୍ୟ ସଚେତକ ଭାବେ ମଧ୍ୟ ମନୋନୀତ ହେବେ। କଂଗ୍ରେସର କିଏ ବିଧାୟକ ଦଳ ନେତା ହେବେ, ସେ ନେଇ କୌଣସି ସୂଚନା ମିଳିନାହିଁ।

Share