୨୫,୨୬ରେ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୨୫ ଓ ୨୬ତାରିଖ ଦୁଇଦିନ ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ଝଡ଼ତୋଫାନ ହେବ। ୨୫ତାରିଖରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲା ଏବଂ ୨୬ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାରେ ବଜ୍ରପାତ ଓ ଝଡ଼ତୋଫାନ ହେବ। ତେଣୁ ଏସବୁ ଜିଲାକୁ ବଜ୍ରପାତ ଓ ଝଡ଼ତୋଫାନ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ମଙ୍ଗଳବାର ମଧ୍ୟ ରାଜ୍ୟର ବିିଭନ୍ନ ସ୍ଥାନରେ ବର୍ଷା ହୋଇଛି। ବାଲେଶ୍ୱରରେ ୧୭ମି.ମି. ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୧୩, ଚାନ୍ଦବାଲି ୯, ବାରିପଦାରେ ୭.୮ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Share