୨୫୮ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୩।୭(ଡି.ଏନ୍‌.ଏ.): ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ରାତିରେ ପୋଲିସ ୨୫୮ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୨ଟି ଚାରି ଚକିଅ ଯାନ, ୪ଟି ମୋବାଇଲ ଓ ୧ଲକ୍ଷ ଟଙ୍କା ପୋଲିସ ଜବତ କରଛି। ଏ ନେଇ ଏସ୍‌ପି ଜଗମୋହନ ମୀନା ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଏମ.ଭି-୩୪ ଗ୍ରାମର ମନୋଜ କୁମାର ମଜୁମଦାର (୨୨), ମନୋଜ ବିଶ୍ୱାସ(୩୮), ଟୋଟାଗୁଡ଼ା ଗ୍ରାମର ସୁବାଷ ଖରା(୩୭) ଓ ଏମ୍‌ଭି-୮୬ ଗ୍ରାମର ରିତ ସିକଦାର(୩୦)।
ପ୍ରକାଶ ଯେ, କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ଚନ୍ଦ୍ରଶେଖର ଶବର ଅନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ପୁଲିମେଟଲା କେନାଲ ରାସ୍ତାରେ ମଙ୍ଗଳବାର ରାତିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଯାଉଥିବା ଏକ ମହିନ୍ଦ୍ରା ମାର୍ଶାଲ ଗାଡ଼ିକୁ ଅଟକାଇ ତାହାକୁ ଯାଞ୍ଚ କରିଥିଲେ। ଗାଡ଼ିରୁ ୯୩ କିଲୋ ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ପୋଲିସ ମନୋଜ କୁମାର ମଜୁମଦାର ଓ ମନୋଜ ବିଶ୍ୱାସଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଗୋଟିଏ ମୋବାଇଲ ଓ ୧ଲକ୍ଷ ଟଙ୍କା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ପୋଲିସ ଜବତ କରିଥିଲା। ସେହିଭଳି ମୁଦୁଲିପଡ଼ା ଥାନା ଭାରପ୍ରାପ୍ତ ନିରୀକ୍ଷକ ଯୁଗଳ କିଶୋର ଶବର ଓ କର୍ମଚାରୀମାନେ ଗୌଡ଼ଗୁଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଏକ କାର ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୬୫ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ସୁବାଷ ଖରା ଓ ରିତ ସିକଦାରଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ ୩ ଟି ମୋବାଇଲ ଓ ସଂପୃକ୍ତ କାର ଜବତ କରିଛି। ଏ ନେଇ କାଲିମେଳା ଥାନାରେ ୧୦୩/୧୯ ଓ ମୁଦୁଲିପଡ଼ା ଥାନାରେ ୪୫/୧୯ରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ବିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ହୃଷିକେଶ ଡି.କିଲାରୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Share