୨୫ ଦିନ ହେଲା ଧାରଣାରେ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର,୧୧।୮(ଅନୁରାଧା ମହାରଣା) – ଓଡିଶାର ସମସ୍ତ ବେସରକାରୀ ଅନୁଦାନ ଓ ଅଣଅନୁଦାନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ତଥା ସଂସ୍କୃତ ଅନୁଷ୍ଠାନର ପରିଚାଳନା କମିଟି ଦ୍ୱାରା ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ପ୍ରାୟ ୨୫ ଦିନ ହେଲାଣି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି। ସରକାରୀ ଅନୁଦାନ ଦାବି ନେଇ ଦୁଇଥର ମହାସମାବେଶ ଆୟୋଜନ ହୋଇଥିଲେ ମଧ୍ୟ ସରକାରୀ ସ୍ତରରୁ କୌଣସି ସୁଫଳ ମିଳିନାହିଁ। ଦୀର୍ଘବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ଅକ୍ଲାନ୍ତପରିଶ୍ରମ କରି ଶିକ୍ଷାପ୍ରଦାନ କରି ଆସୁଥିଲେ ମଧ୍ୟ ସରକାରୀ ଅନୁଦାନରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ସରକାର ବାରମ୍ବାର ଦେଇ ଆସୁଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଉଛି ବୋଲି ଆନ୍ଦୋଳନକାରୀମାନେ କ୍ଷୋଭର ସହ କହିଛନ୍ତି। ଗତ ଜୁନ୍‌ ୨୪ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂତନ ଅନୁଦାନ ନୀତିର ପ୍ରକ୍ରିୟାକରଣ ପାଇଁ ଚିଠି ପ୍ରକାଶ ପାଇଥିଲା। ମାତ୍ର ୨୮ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିରେ ବିଚାରଧୀନ ରହିଛି ଦର୍ଶାଇ ଉକ୍ତ ଚିଠିଟିକୁ ପ୍ରତ୍ୟାହାର କରିନିଆଯାଇଛି। ଇତିମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ୪ଥର ବସିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ସଂଘ ଜୁଲାଇ ୧୮ରୁ ଗାନ୍ଧୀମାର୍ଗରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇଛି। ମାତ୍ର ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ଚାଲିଛି କହି ସରକାର ଚୁପ୍‌ହୋଇ ବସିଛନ୍ତି। ସରକାର ଯଥାଶୀଘ୍ର ଏକମାତ୍ର ସରକାରୀ ଅନୁଦାନ (ଜିଆଇଏ) ଘୋଷଣା କରନ୍ତୁ। ଯଦି ଏଥର କୌଣସି ଟାଳଟୁଳନୀତି ପ୍ରୟୋଗ କରନ୍ତି, ତେବେ ସଂଘ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଯିବ ଓ ଯେଉଁ ଅପ୍ରୀତିକର ପରିସ୍ଥତି ସୃଷ୍ଟିହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ସଭାପତି ଡ. ଦେବବିଜୟ ମିଶ୍ର ଚେତାବନୀ ଦେଇଛନ୍ତି।

Share