Categories: ଖେଳ

୨୫ ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୟୁକ୍ରେନ୍‌ ଫୁଟବଲ କ୍ଲବ୍‌

ଏଲ୍‌ଭିଭ୍‌,୩।୬(ପି.ଟି.): ୟୁକ୍ରେନ୍‌ର ଫୁଟବଲ କ୍ଲବ ‘କରପାଟି ଏଲ୍‌ଭିଭ୍‌’କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। କ୍ଲବର ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ୨୫ ଜଣ କୋଭିଡ-୧୯ ଟେଷ୍ଟରେ ପଜିଟିଭ ଜଣାପଡିବାରୁ ସମ୍ପୂର୍ଣ୍ଣ କ୍ଲବକୁ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦେଶର ପ୍ରିମିୟର ଲିଗ୍‌ ତରଫରୁ ସୂଚନା ଦିଆଯାଇଛି। ସଂକ୍ରମିତ ବ୍ୟକ୍ତିମାନଙ୍କୁ ସେଲ୍ଫ ଆଇସୋଲେଶନରେ ରଖାଯାଇଛି ଓ ସମ୍ପୂର୍ଣ୍ଣ କ୍ଲବ୍‌କୁ ଅତିକମ୍‌ରେ ଦୁଇ ସପ୍ତାହ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ତେଣୁ ଟ୍ରେନିଂକୁ ସସ୍‌ପେଣ୍ଡ କରାଯାଇଛି। ଜୁନ୍‌ ମଧ୍ୟଭାଗରେ ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍‌କୁ ମଧ୍ୟ ବାତିଲ କରାଯାଇଛି।
ପରୀକ୍ଷାରେ ଜଣେ ପଜିଟିଭ୍‌ ବୋଲି ପ୍ରଥମେ ଜଣାପଡିବା ପରେ ରବିବାର ଖେଳାଯିବାକୁ ଥିବା ଏକ ମ୍ୟାଚ୍‌କୁ ମଧ୍ୟ ବାତିଲ କରାଯାଇଥିଲା। ଅଧିକାଂଶ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମଳିନାହିଁ। ଲକ୍‌ଡାଉନ୍‌ ପରେ ରୁଦ୍ଧଦ୍ୱାରରେ ଗତ ସପ୍ତାହ ଶେଷରେ ୟୁକ୍ରେନ୍‌ରେ କେତୋଟି ଫୁଟବଲ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ୟୁକ୍ରେନ୍‌ରେ ଏପର୍ଯ୍ୟନ୍ତ ୨୪, ୩୪୦ ଜଣ କୋଭିଡ୍‌-୧୯ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ୭୨୭ ଜଣ ମୃତ୍ୟୁବରଣ କରିଛନ୍ତି।