୨୫ ପର୍ଯ୍ୟଟକଙ୍କୁ ଛାଡ଼ି ମଦ୍ୟପ ଡ୍ରାଇଭର ଫେରାର

ଗୋପ,୨୨।୨(ଡି.ଏନ.ଏ.): ଚେନ୍ନାଇରୁ ପୁରୀ-କୋଣାର୍କ ବୁଲି ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କୁ ମଦ୍ୟପ ଡ୍ରାଇଭର ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ଛାଡ଼ିଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କୌଣସି ଅଘଟନ ଘଟିଥିବା ଅନୁମାନ କରି ଡ୍ରାଇଭରକୁ ଗୋଡ଼ାଇଥିଲେ ମଧ୍ୟ ଧରିବାରେ ଅସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଚେନ୍ନାଇ ମଦୁରାଇ ଅଞ୍ଚଳର କୁବେରନ ଚନ୍ଦ୍ରଙ୍କ ନେତୃତ୍ୱରେ ୮ଜଣ ପୁରୁଷ ଓ ୧୭ ଜଣ ମହିଳା ପର୍ଯ୍ୟଟକ ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ସହିତ ଆଉ କେତେକ ପର୍ଯ୍ୟଟନସ୍ଥଳୀ ବୁଲି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଫେରୁଥିଲେ। ଭୁବନେଶ୍ୱରର ଟ୍ରାଭେଲ୍‌ ଏଜେନ୍‌ସିର ଓଡି୩୩ପି-୩୭୦୬ ଗାଡ଼ିର ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବାରୁ ଠିକ୍‌ ଭାବରେ ଗାଡ଼ି ଚଳାଇ ପାରି ନ ଥିଲା। ଫଳରେ ଗାଡ଼ିରେ ଥିବା ମହିଳା ପର୍ଯ୍ୟଟକମାନେ ହୋ ହଲ୍ଲା କରିବା ସହ ମଦ୍ୟପ ଡ୍ରାଇଭରକୁ ଗାଡ଼ି ରଖିବାକୁ କହିଥିଲେ। ଫଳରେ ଡ୍ରାଇଭର ଜଣଙ୍କ ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟ ରାସ୍ତାକଡ଼ରେ ଗାଡ଼ି ରଖି ହଠାତ୍‌ ଦୌଡ଼ି ପଳାଇଥିଲେ। ଖବରପାଇ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ଗାଡ଼ିର ମାଲିକଙ୍କୁ ଡାକିଥିଲେ। ପ୍ରାୟ ୧ ଘଣ୍ଟା ପରେ ପର୍ଯ୍ୟଟକମାନେ ଘଟଣାସ୍ଥଳରୁ ଭୁବନେଶ୍ୱର ଫେରିଥିବା ଥାନାଧିକାରୀ ସାହୁ ସୂଚନା ଦେଇଛନ୍ତିି।

Share