Advertisement

୨୫ ଲକ୍ଷ ଟଙ୍କା ଲୋଭରେ ୨୫ ହଜାର ଗଲା

ଲାଞ୍ଜିଗଡ,୨୮।୪(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡ ଡମ୍ବବିଶିପଡାର ଜଣେ ବ୍ୟକ୍ତି ଅନ୍‌ ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜେନ୍ଦ୍ର ପରାଭୋଇ। ଦିନ ମଜୁରିଆ ଭାବେ କାମ କରି ସେ ପରିବୁର ଚଳାନ୍ତି। ତେବେ ଗତ ୨୪ତାରିଖ ନ୍ୟାଶନାଲ ଲଟେରୀ ନାମକ ଏକ କମ୍ପାନୀରୁ ଏକ ଫୋନ କଲ୍‌ ଆସିଥିଲା। ୮ମ ଶ୍ରେଣୀରେ ପଢୁଥିବା ପୁଅ ଏହି ପୋନ୍‌ କଲ୍‌ ରିସିଭ କରିଥିଲେ। ୨୫ଲକ୍ଷ ଟଙ୍କାର ଲଟେରୀ ଉଠିଥିବା ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ। ଏ ନେଇ ପୁଅ ବାପାଙ୍କୁ ଜଣାଇ ଥିଲେ। ଏକ ଘଣ୍ଟା ପରେ ପୁଣିଥରେ ଫୋନ୍‌ ଆସିଥିଲା। ୨୫ହଜାର ଟଙ୍କା ଡିପୋଜିଟ କଲେ ୨୫ଲକ୍ଷ ଟଙ୍କା ଆକାଣ୍ଟକୁ ୫ମିନିଟରେ ଡିପୋଜିଟ ହୋଇଯିବ ବୋଲି ସମ୍ପୃକ୍ତ ବ୍ୟକ୍ତି ଲୋଭ ଦେଖାଇଥିଲେ। ଏଣୁ ଲୋଭରେ ପଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଆସିଥିବା ୨୦ହଜାର ଟଙ୍କା ଓ ଘରେ ଥିବା ଗହଣା ବନ୍ଧା ପକାଇ ୨୫ହଜାର ଟଙ୍କା ୩୯୦୪୦୦୪୬୦୪୧ ନମ୍ବର ଆକାଉଣ୍ଟରେ ଗଜେନ୍ଦ୍ର ଡିପୋଜିଟ କରିଥିଲେ। ତେବେ ୨୫ହଜାର ଟଙ୍କା ଡିପୋଜିଟ କରିବା ପରେ ପୁଣିଥରେ ୧୦ହଜାର ଟଙ୍କା ଡିପୋଜିଟ୍‌ ପାଇଁ ଫୋନ୍‌ ଆସିଥିଲା ା ହେଲେ ଘରେ ଯାହା ଟଙ୍କା ଥିଲା ସବୁ ସରି ଯାଇଥିଲା। ଏ ସଂକ୍ରାନ୍ତରେ ସନ୍ଦେହ ହେବାରୁ ଗଜେନ୍ଦ୍ରଙ୍କ ପୁଅ ତାଙ୍କ ପ୍ରଧାନ ଶିକ୍ଷକ ମନୋଜ କୁମାର ମହାକୁଡଙ୍କୁ ଜଣାଇଥିଲେ। ସେମାନେ ଠକେଇର ଶିକାର ହୋଇଥିବା ଶିକ୍ଷକ କହିବା ପରେ ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗଜେନ୍ଦ୍ର ଅନୁତାପ କରୁଛନ୍ତି। ତେବେ ଲାଞ୍ଜିଗଡ ଆଇଆଇସି ସତ୍ୟାନନ୍ଦ ପାତ୍ର କହିଛନ୍ତି ଯେ, ଏହାର ତଦନ୍ତ କରିବେ। ସୂଚନାଯୋଗ୍ୟ,ଜାନୁଆରୀ ୧୭ରେ ଲାଞ୍ଜିଗଡ ବଜାରପଡାର ପ୍ରତାପ ବାରିକ ଏଭଳି ଅନଲାଇନ୍‌ ଠକେଇର ଶିକାର ହୋଇ ଟିଟଲାଗଡରେ ରେଳ ଲାଇନରେ ଆତ୍ମହତ୍ୟା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share