Categories: ଜାତୀୟ

୨୫ ହଜାର କୋଟିର ମନିଲଣ୍ଡରିଂ ମାମଲା: ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା

ନୂଆଦିଲ୍ଲୀ,୨୫ା୯(ପି.ଟି.): ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏବେ ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜାଲରେ ପଡ଼ିଛନ୍ତି। ଏନେଇ ମାମଲା ରୁଜୁ କରାଯାଇଥିବାବେଳେ ଇଡି ପକ୍ଷରୁ ଖୋଳତାଡ୍‌ ଆରମ୍ଭ ହୋଇଛି। ଏମାନଙ୍କ ବିରୋଧରେ ୨୫ ହଜାର କୋଟି ଟଙ୍କାର ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଦିଲିପରାଓ ଦେଶମୁଖ୍‌, ଇସ୍ରାଲ ଜୈନ୍‌, ଜୟନ୍ତ ପାଟିଲ, ଶିବାଜୀରାଓ ନାଲଭାଡ଼େ, ଆନନ୍ଦ ରାଓ ଅଡ୍‌ସୁଲ, ରାଜେନ୍ଦ୍ର ସିଂଘାନେ ଓ ମଦନ ପାଟିଲ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ବ୍ୟାଙ୍କ ପକ୍ଷରୁ କୋଅପରେଟିଭ୍‌ ସୁଗାର ଫ୍ୟାକ୍ଟ୍ରକୁ ଲୋନ୍‌ ଦିଆଯାଇଥିବାବେଳେ ଏଥିରେ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ରୁଜୁ କରାଯିବା ପରେ ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଇଡିର ତଦନ୍ତ ରାଜନୈତିକ ଉଷ୍ମତା ସୃଷ୍ଟି କରିଛି। ଅନେକ ସୁଗାର ଫାକ୍ଟ୍ରି ରୁଗ୍ଣ ହୋଇପଡ଼ିଥିବାବେଳେ ଆଉ କେତେକ ବିକ୍ରିହୋଇ ସାରିଛି। ହେଲେ ଠିକ୍‌ ନିର୍ବାଚନ ପୂର୍ବରୁ ପୁରୁଣା ଫାଇଲ ଖୋଲି ତଦନ୍ତ ଆରମ୍ଭ ହେବା ଭିନ୍ନ ଇଙ୍ଗିତ କରୁଛି। ଏନ୍‌ସିପି ନେତା ଶରଦ ପାଓ୍ବାର ଓ ତାଙ୍କ ପୁତୁରା ଅଜିତ ପାଓ୍ବାର ସୁଗାର ଫାକ୍ଟ୍ରଗୁଡ଼ିକୁ କମ ମୂଲ୍ୟରେ ବିକି ମୁନାଫା କମାଇଥିବା ଅଭିଯୋଗ ହୋଇଛି।

Share