୨୫ ହଜାର ଟପିଲା କରୋନା ମୃତ୍ୟୁ

ରୋମ୍‌/ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ଅଦ୍ୟାବଧି ବିଶ୍ୱବ୍ୟାପୀ ୨୫ ହଜାର ୪୧୦ ମୁଣ୍ଡ ନେଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାରରେ ପହଞ୍ଚିଲାଣି। ଚାଇନାରେ ଏହି ଭୂତାଣୁ ସଂକ୍ରମଣରେ ୩,୨୯୨ ଜଣଙ୍କ ଜୀବନ ଯାଇଥିବା ବେଳେ ଇଟାଲୀରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୮,୨୧୫ରେ ପହଞ୍ଚିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୫୮୯ରେ ପହଞ୍ଚିଲାଣି। ସେହିଭଳି ସ୍ପେନ୍‌ରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪,୯୩୪ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଏଠି ୬୪, ୦୫୯କୁ ବୃଦ୍ଧିପାଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧,୩୭୧ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୯୨,୨୦୬ରେ ପହଞ୍ଚିଛି। ଅନୁରୂପ ଭାବେ ଇରାନରେ ୨,୩୭୮ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩୨, ୩୩୩ରେ ପହଞ୍ଚିଛି। ଫ୍ରାନ୍ସରେ ମୃତକଙ୍କ ସଂଖ୍ୟା ୧,୬୯୬ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୯,୧୫୫ରେ ପହଞ୍ଚିଛି। ବ୍ରିଟେନରେ ମୃତ୍ୟୁସଂଖ୍ୟା ୭୫୯ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୪, ୫୪୩କୁ ବୃଦ୍ଧିପାଇଛି। ଜର୍ମାନୀରେ ୩୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯, ୩୩୪ ସଂକ୍ରମିତ ଅଛନ୍ତି। ସ୍ବିଜରଲାଣ୍ଡରେ ୨୦୭ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୨,୩୧୧ରେ ପହଞ୍ଚିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆରେ ୧୩୯, ନେଦରଲାଣ୍ଡରେ ୫୪୬, ବେଲଜିୟମରେ ୨୮୯, ସ୍ବୀଡେନ୍‌ରେ ୯୨, ପର୍ତ୍ତୃଗାଲରେ ୭୬, କାନାଡାରେ ୪୦, ତୁର୍କୀରେ ୭୫ ଲୋକ ଏହି ମହାମାରୀର ଶିକାର ହୋଇଥିବା ଜଣାପଡ଼ିଛି। ଚାରିଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସଂକ୍ରମିତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରିରହିଛି। ବିଭିନ୍ନ ଦେଶ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଥିଲେ ହେଁ କରୋନା ମହାମାରୀ ବୋଲ ମାନୁନି। ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଛି। ସତର୍କ ରହିବା ଲାଗି ପରାମର୍ଶ ଦିଆଯାଉଛି।

ଭାରତରେ ୨୦
ଭାରତରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚତ୍ଛି। ଗୁରୁବାର ଗୋଟିଏ ଦିନରେ ୭ ଜଣଙ୍କ ଜୀବନ ନେଇଛି କୋଭିଡ୍‌-୧୯। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ୮୬୩ରେ ପହଞ୍ଚତ୍ଥିବା ଜଣାପଡିଛି। ୨୪ ଘଣ୍ଟା ମଧ୍ୟରେ ୧୩୬ ନୂଆ ମାମଲା ନଜରକୁ ଆସିଛି। ମୁମ୍ବାଇରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜମ୍ମୁ-କଶ୍ମୀରର ସୋପୋର, ରାଜସ୍ଥାନର ଭିଲଓ୍ବାରାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ବୟସ ୬୫ ଓ ଏହାଠାରୁ ଅଧିକ ରହିଛି। ମଧ୍ୟପ୍ରଦେଶରେ କରୋନାରେ ଦ୍ୱିତୀୟ ମୃତ୍ୟୁ ଘଟିଛି। ସେଠାରେ ଜଣେ ୩୫ ବର୍ଷୀୟ ଯୁବକଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ବିଦେଶ ଗସ୍ତରେ ଯାଇ ନ ଥିବାବେଳେ ଜ୍ୱର ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷାରୁ ତାଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଗୁଜରାଟରେ ଗୁରୁବାର ୫ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୩୭ ଥିବାବେଳେ ମହାରାଷ୍ଟ୍ରରେ ୧୩୦, କର୍ନାଟକରେ ୫୫, ତେଲଙ୍ଗାନରେ ୪୫ ଓ ଗୁଜରାଟରେ ୪୫ ରହିଛି। ଗୁରୁବାର ଦିଲ୍ଲୀରେ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।

Share